ଆଇପିଏଲ୍‌ ବେଟିଂ: ୯ କୋର୍ଟ ଚାଲାଣ

କୁଆଁରମୁଣ୍ଡା,୧୭ା୪(ଡି.ଏନ୍‌.ଏ.): ସମ୍ପ୍ରତି ଆଇପିଏଲ ମ୍ୟାଚ୍‌ ଚାଲୁଥିବା ବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍‌ ବୃଦ୍ଧି ପାଉଛି। ଅନ୍‌ଲାଇନ୍‌ରେ ଲୋକେ ଟଙ୍କା ବାଜି ଲଗାଉଛନ୍ତି। ଫଳରେ ଦିନକୁ କୋଟି କୋଟି ଟଙ୍କାର ଅନଲାଇନ୍‌ ବେଟିଂ ଚାଲୁଛି। ଏହି ଅପରାଧିକ କାର୍ଯ୍ୟରେ ଏବେକାର ବେକାର ଯୁବବର୍ଗ ଲିପ୍ତ ରହି ଅନୈତିକ ଉପାୟରେ ଲୋକଙ୍କୁ ଠକି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏହି ବେଆଇନ୍‌ କାର୍ଯ୍ୟରେ ଆନ୍ତଃରାଜ୍ୟ ଯୁବକମାନେ ସଂଶ୍ଳିଷ୍ଟ ରହି ବେଆଇନ୍‌ ଅର୍ଥ ରୋଜଗାର କରୁଥିବା ଘଟଣାରେ ରବିବାର କୁଆଁରମୁଣ୍ଡା ପୋଲିସ ୯ ଜଣଙ୍କୁ ଗିରଫ କରିବା ସହ ଏନେଇ କୁଆଁରମୁଣ୍ଡା ଫାଣ୍ଡିରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛି।

ଏହାସହ ସେମାନଙ୍କ ନିକଟରୁ ୧୮ଟି ଦାମୀ ମୋବାଇଲ, ଗୋଟିଏ ଟାବଲେଟ୍‌ ଓ ଗୋଟିଏ ଲାପଟପ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ଯୁବକମାନେ ହେଉଛନ୍ତି ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲାର ମାଲିତ୍‌ ସିଂ(୨୫),ବିଶାଲ ରାଏ(୧୮), ହିମାଂଶୁ ଦେବାଙ୍ଗନ (୨୫),ପଙ୍କଜ ଦେବାଙ୍ଗନ(୨୨),ବିକାଶ ଠାକୁର(୨୩),ମିନୁ ସିଂ(୨୧),ଦୀନେଶ କୁମାର ସାହୁ(୨୮),ବିକ୍ରମଜିତ୍‌ ସିଂ((୧୯) ଓ ଯୋଗେନ୍ଦ୍ର ସିଂ(୨୨)। ସମସ୍ତ ଅଭିଯୁକ୍ତଙ୍କର ପୋଲିସ ସ୍ବାସ୍ଥ୍ୟ ପରୀକ୍ଷା କରାଇ ରବିବାର କୋର୍ଟ ଚାଲାଣ କରିଛ। ଏ ନେଇ ବୀରମିତ୍ରପୁର ଥାନାରେ ବିଭିନ୍ନ ଦଫାରେ କେସ୍‌ ନଂ ୭୪/୨୨ରେ ଏକ ମାମଲା ରୁଜୁ ହୋଇଛି।

ବୀରମିତ୍ରପୁର ଆଇଆଇସି ମନୋଜ ମଞ୍ଜରୀ ନାଏକଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ଝରାବସ୍ତିର ଏକ ଘରେ କେତେଜଣ ଯୁବକ ଅନଲାଇନ୍‌ ଲଟେରି କାର୍ଯ୍ୟାଳୟ ଖୋଲି ଆଇପିଏଲ ବେଟିଂ ଜରିଆରେ ଏକାଧିକ କୋଟି ଟଙ୍କାବାଜି ଲଗାଇବା ସହ ବିଭିନ୍ନ ଆକର୍ଷଣୀୟ ପୁରସ୍କାରର ଲୋଭ ଦେଖାଇ ଜୁଆଡ଼ିମାନେ ଲୋକମାନଙ୍କୁ ପ୍ରଲୋଭିତ କରି ମୋଟା ଅଙ୍କର ଜୁଆ କାରବାର କରୁଛନ୍ତି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ, ଆଇଆଇସି ନାଏକ, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଉକ୍ତ କାର୍ଯ୍ୟାଳୟରୁ କାବୁ କରିବା ସହ ମୋବାଇଲ,ଟାବଲେଟ୍‌ ଓ ଲାପଟପ୍‌ ମଧ୍ୟ ସେମାନଙ୍କ ନିକଟରୁ ଜବତ କରିଛନ୍ତି। ଏହି ଆଇପିଏଲ ବେଟିଂ ନେଟୱାର୍କ୍‌ ବମ୍ବେରୁ କୁଆଁରମୁଣ୍ଡା ପର୍ଯ୍ୟନ୍ତ ଲମ୍ବିଥିବା ଆଲୋଚନା ହେଉଛି।