ନୂଆଦିଲ୍ଲୀ,୧୬।୧୨: IPL ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଅନ୍କ୍ୟାପ୍ଡ୍ ଖେଳାଳି ଭାବେ ଉତ୍ତର ପ୍ରଦେଶର ଯୁବ ତାରକା ପ୍ରଶାନ୍ତ ବୀର ରେକର୍ଡ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ (CSK) ଏହି ୨୦ ବର୍ଷୀୟ ଅଲରାଉଣ୍ଡରଙ୍କୁ କିଣିବା ପାଇଁ ୧୪.୨୦ କୋଟି ଟଙ୍କା ଖର୍ଚ୍ଚ କରିଛି।
ବାମହାତୀ ବ୍ୟାଟ୍ସମ୍ୟାନ୍ ଏବଂ ବାମହାତୀ ସ୍ପିନର ଥିବା ପ୍ରଶାନ୍ତଙ୍କୁ CSK ରବୀନ୍ଦ୍ର ଜାଡେଜାଙ୍କ ଭବିଷ୍ୟତର ବିକଳ୍ପ ଭାବରେ ଦେଖୁଛି, ଯିଏ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ (RR) ସହିତ ଟ୍ରେଡ୍ ହୋଇଥିଲେ।
୨୦ ବର୍ଷୀୟ ପ୍ରଶାନ୍ତଙ୍କୁ କିଣିବା ପାଇଁ ଚେନ୍ନାଇ ସହିତ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ତୀବ୍ର ନିଲାମ ଯୁଦ୍ଧ ହୋଇଥିଲା। ନିଲାମୀ ୧୨ କୋଟି ଟଙ୍କା ଅତିକ୍ରମ କରିବା ପରେ ମଧ୍ୟ ଉଭୟ ଦଳ ପଛକୁ ହଟି ନଥିଲେ।
ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ପ୍ରାରମ୍ଭିକ ବିଡ୍ ଦେଇଥିଲେ, କିନ୍ତୁ ଶେଷରେ CSK ତାଙ୍କୁ ୧୪.୨୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିବାରେ ସଫଳ ହେଲା।
ପ୍ରଶାନ୍ତ ବୀର ନିକଟରେ ଘରୋଇ କ୍ରିକେଟରେ ଉତ୍ତମ ପ୍ରଦର୍ଶନ କରି ଚର୍ଚ୍ଚାରେ ଥିଲେ। ସେ ଉତ୍ତର ପ୍ରଦେଶ ପାଇଁ SMAT ଏବଂ U-23 ସ୍ତରର ମ୍ୟାଚ୍ ଖେଳି ଗୋଟିଏ ସପ୍ତାହ ମଧ୍ୟରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ୬ଟି ମ୍ୟାଚ୍ ଖେଳିଛନ୍ତି।


