ରାଜସ୍ଥାନ ରୟାଲ୍ସରେ ଫାଟ! କାହିଁକି ରାଜସ୍ଥାନ ରୟାଲ୍ସ ଛାଡ଼ିବେ ଯଶସ୍ବୀ ଜୟସ୍ବାଲ? ବଡ଼ ଚର୍ଚ୍ଚା ପରେ KKR ଆଉ…

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ରିଟେନସନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ (RR) ଦଳରେ ଷ୍ଟାର ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଲାଗି ରହିଛି। ରିପୋର୍ଟ ଅନୁଯାୟୀ, ଯଶସ୍ୱୀ ଦଳ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ଫ୍ରାଞ୍ଚାଇଜି ଅନ୍ୟ ଦଳଗୁଡ଼ିକରୁ ଆସିଥିବା ଏକାଧିକ ଟ୍ରେଡ୍ ପ୍ରସ୍ତାବ ଉପରେ ବିଚାର କରୁଛି। ଅନ୍ୟ କୌଣସି ଫ୍ରାଞ୍ଚାଇଜି ସହ ଭଲ ବୁଝାମଣା ହେଲେ, ଆସନ୍ତା ଡିସେମ୍ବର ୧୬ ତାରିଖରେ ହେବାକୁ ଥିବା ମିନି ଅକ୍ସନ (Mini Auction) ପରେ ମଧ୍ୟ ଯଶସ୍ୱୀଙ୍କ ବିକଳ୍ପ ଖୋଜା ଜାରି ରହିପାରେ।

ଗତ ଦୁଇ ମାସ ଧରି ରୟାଲ୍ସ ମ୍ୟାନେଜମେଣ୍ଟ ବିଭିନ୍ନ ଫ୍ରାଞ୍ଚାଇଜି ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନି। ରିଟେନସନର ଶେଷ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ନୌ ସୁପର ଜିଆଣ୍ଟସ (LSG) ସହ ଆଲୋଚନା ଚାଲିଥିଲା। କିନ୍ତୁ ରୟାଲ୍ସ ବଦଳରେ ମାଗିଥିବା ଦୁଇଜଣ ଖେଳାଳିଙ୍କ ପ୍ରସ୍ତାବରେ ଲକ୍ଷ୍ନୌ ରାଜି ହୋଇ ନ ଥିଲା।

ସୂଚନା ମୁତାବକ, ଦିଲ୍ଲୀ କ୍ୟାପିଟାଲ୍ସ (DC) ମଧ୍ୟ ଯଶସ୍ୱୀଙ୍କ ପାଇଁ ଯୋଗାଯୋଗ କରିଥିଲା। କେଏଲ ରାହୁଲଙ୍କ ସହ ଇନିଂସ ଆରମ୍ଭ କରିବା ପାଇଁ ଦିଲ୍ଲୀ ଜଣେ ଅଭିଜ୍ଞ ଓପନର ଖୋଜୁଥିଲା। ମାତ୍ର ଦିଲ୍ଲୀ ପକ୍ଷରୁ ଦିଆଯାଇଥିବା ବଦଳ ଖେଳାଳିଙ୍କ ତାଲିକାରେ ରୟାଲ୍ସ ସନ୍ତୁଷ୍ଟ ନ ହେବାରୁ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା।

ରୟାଲ୍ସ ଦଳ ଯଶସ୍ୱୀଙ୍କୁ ଛାଡ଼ିବାକୁ ଆଗ୍ରହୀ ନୁହେଁ। ୨୦୨୦ ମସିହାରୁ ଦଳ ତାଙ୍କୁ ଗଢ଼ି ତୋଳିଛି ଏବଂ ସେ ଚମତ୍କାର ପ୍ରଦର୍ଶନ ମଧ୍ୟ କରିଛନ୍ତି। ଗତ ଦୁଇଟି ଆଇପିଏଲ ସିଜିନରେ ଯଶସ୍ୱୀ ଏବଂ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମିଶି ଅନ୍ୟତମ ବିସ୍ଫୋରକ ଓପନିଂ ଯୋଡ଼ି ଭାବେ ଉଭା ହୋଇଥିଲେ। ତେବେ ଗତ ସିଜିନରେ ଦଳ ରିଆନ ପରାଗଙ୍କୁ ଅଧିନାୟକ କରିବା ପରଠାରୁ ଦଳ ଭିତରେ ସମୀକରଣ ବଦଳିବାରେ ଲାଗିଛି।

ଆହତ ସମସ୍ୟା ସତ୍ତ୍ୱେ ରିଆନ ପରାଗଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ଗତ ଆଇପିଏଲରେ ତୃତୀୟ ସ୍ଥାନ ହାସଲ କରିଥିଲା। ଆଗାମୀ ସିଜନ ପାଇଁ ମଧ୍ୟ ନୂଆ ମ୍ୟାନେଜମେଣ୍ଟ ରିଆନଙ୍କୁ ହିଁ ଅଧିନାୟକ ରଖିବାକୁ ଭରସା ଦେଇଛି. ଜଣେ ଆଇପିଏଲ ସୂତ୍ର କହିଛନ୍ତି, “ଏପରି ମନେ ହେଉଛି ଯେ ଯଶସ୍ୱୀ ନିଜେ ଦଳ ଛାଡ଼ିବାକୁ ଚାହୁଁଛନ୍ତି। ରୟାଲ୍ସ ଏବେ ବି ତାଙ୍କୁ ରଖିବାକୁ ଚାହେଁ, କିନ୍ତୁ ସେ ଫ୍ରାଞ୍ଚାଇଜି ସହ ଖୁସି ନ ଥିବା ପରି ଲାଗୁଥିବାରୁ ଦଳ ତାଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଛି।”

ଏହି ଦୌଡ଼ରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ କିଛି ସମୟ ପାଇଁ ବିଚାର କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ (KKR) ନିଜ ଦଳକୁ ନୂଆ କରି ଗଢ଼ୁଥିବାରୁ ସେମାନେ ମଧ୍ୟ ଯଶସ୍ୱୀଙ୍କୁ ନେବା ଦୌଡ଼ରେ ସାମିଲ ହୋଇପାରନ୍ତି। ଏବେ ଦେଖିବାକୁ ବାକି ରହିଲା, ଯଶସ୍ୱୀ ଜୟସ୍ୱାଲଙ୍କ ପରବର୍ତ୍ତୀ ଠିକଣା କେଉଁଠି ହେଉଛି।

Dharitri – Odisha’s No.1 Odia Daily

Share