ନୂଆଦିଲ୍ଲୀ,୧୪।୧୧: ଆଇପିଏଲ୍ ୨୦୨୭ ପୂର୍ବରୁ ଖେଳାଳି ଅଦଳବଦଳକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଏକ ବଡ଼ ଟ୍ରେଡ୍ ଡିଲ୍ ହେବା ନେଇ ଆଲୋଚନା ଚାଲିଛି । ଏହି ଡିଲ୍ରେ ରାଜସ୍ଥାନ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହୀ ଥିବା ବେଳେ ତାଙ୍କ ବଦଳରେ ଲକ୍ଷ୍ନୌକୁ ସାମ କରନ୍ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କ୍ରିକ୍ବଜ୍ର ରିପୋର୍ଟ ଅନୁସାରେ, ଏହି ଟ୍ରେଡ୍ରେ ଲକ୍ଷ୍ନୌର ବାମହାତୀ ସ୍ପିନର ମନିମାରନ୍ ସିଦ୍ଧାର୍ଥଙ୍କ ନାଁ ମଧ୍ୟ ରହିଛି। ଖେଳାଳିମାନଙ୍କୁ ଟ୍ରେଡ୍ ସମ୍ପର୍କରେ ଅବଗତ କରାଯାଇଥିବା ଏବଂ ଏନେଇ କାଗଜପତ୍ର କାମ ଚାଲିଥିବା ରିପୋର୍ଟରେ ଦାବି କରାଯାଇଛି।
ଏହି ଟ୍ରେଡ୍ ଚର୍ଚ୍ଚା ମଧ୍ୟରେ ରାଜସ୍ଥାନର ଷ୍ଟାର୍ ବ୍ୟାଟର ଯଶସ୍ୱୀ ଜୟସ୍ୱାଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ଯଶସ୍ୱୀଙ୍କୁ ନିଜ ଦଳରେ ସାମିଲ କରିବାକୁ ଲକ୍ଷ୍ନୌ ଆଗ୍ରହ ଦେଖାଉଥିବା କୁହାଯାଉଛି। ତେବେ ରାଜସ୍ଥାନ ଏଥିପାଇଁ ଲକ୍ଷ୍ନୌଠାରୁ ଆଉ ଜଣେ ଭାରତୀୟ ବୋଲରଙ୍କୁ ଦେବାକୁ ଦାବି ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ଏଯାଏଁ ସହମତି ହୋଇନାହିଁ।ଆଇପିଏଲ୍ରେ ଯଶସ୍ୱୀଙ୍କ ପ୍ରଦର୍ଶନ ଭଲ ରହିଛି । ସେ ଲକ୍ଷ୍ନୌ ଦଳକୁ ଗଲେ ଦଳକୁ ଜଣେ ଭଲ ଭାରତୀୟ ଓପନର ମିଳିବା ସହ ଅଧିନାୟକତ୍ୱ ପାଇଁ ମଧ୍ୟ ଏକ ବିକଳ୍ପ ମିଳିପାରିବ ବୋଲି ଆଲୋଚନା ହେଉଛି ।
ରାଜସ୍ଥାନ ରୟାଲ୍ସ ପାଇଁ ଦ୍ରୁତ ବୋଲିଂ ବିଭାଗ ଏକ ଚିନ୍ତାର ବିଷୟ ହୋଇରହିଛି । ଦଳରେ ଜୋଫ୍ରା ଆର୍ଚରଙ୍କ ସହ ସନ୍ଦୀପ ଶର୍ମା, ତୁଷାର ଦେଶପାଣ୍ଡେ, କ୍ୱେନା ମାଫାକା ଓ ନାନ୍ଦ୍ରେ ବର୍ଗରଙ୍କ ଭଳି ବୋଲର ଅଛନ୍ତି । ତେବେ ଦଳକୁ ଆହୁରି ଅଭିଜ୍ଞ ଦ୍ରୁତ ବୋଲରଙ୍କ ଆବଶ୍ୟକତା ଥିବାରୁ ଶାମିଙ୍କୁ ନେବାକୁ ରାଜସ୍ଥାନ ଆଗ୍ରହୀ ଥିବା କୁହାଯାଉଛି । ଅନ୍ୟପଟେ, ସାମ କରନ୍ ଲକ୍ଷ୍ନୌ ଦଳରେ ସାମିଲ ହେଲେ ଦଳର ଦ୍ରୁତ ବୋଲିଂ ସହ ଅଲ୍ରାଉଣ୍ଡର ବିଭାଗ ମଧ୍ୟ ମଜଭୁତ ହୋଇପାରିବ । ସେ ବୋଲିଂ ସହ ବ୍ୟାଟିଂରେ ମଧ୍ୟ ଦଳ ପାଇଁ ଉପଯୋଗୀ ହୋଇପାରିବେ । ତେବେ ଶାମି, ସାମ କରନ୍, ମନିମାରନ୍ ସିଦ୍ଧାର୍ଥ ଓ ଯଶସ୍ୱୀଙ୍କୁ ନେଇ ଚାଲିଥିବା ଏହି ଟ୍ରେଡ୍ ଆଲୋଚନା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦୁଇ ଫ୍ରାଞ୍ଚାଇଜ୍ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।