Categories: Home Leftଖେଳ

ଆଇପିଏଲ ୨୦୨୭ ପାଇଁ ସିଏସ୍‌କେର ମାଷ୍ଟରଷ୍ଟ୍ରୋକ, ୨ ଖେଳାଳିଙ୍କ ବଦଳରେ ଦଳରେ ସାମିଲ ହେଲେ ଆଉ ୨ ନୂଆ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୫।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ନଭେମ୍ବର ୧୭ ତାରିଖ ସୁଦ୍ଧା ବିସିସିଆଇକୁ ଦାଖଲ କରିବାକୁ ପଡ଼ିବ। ଏହା ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ଟ୍ରେଡ ପ୍ରକ୍ରିୟାରେ ବ୍ୟସ୍ତ ରହିଛନ୍ତି। ଯାହାଦ୍ୱାରା ନିଲାମୀ ପୂର୍ବରୁ ହିଁ ନିଜ ଦଳର ଦୁର୍ବଳତା ଦୂର କରିପାରିବେ। ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସନରାଇଜର୍ସ ହାଇଦ୍ରାବାଦ ସହ ଦୁଇ ଖେଳାଳିଙ୍କ ଟ୍ରେଡ କରିଛି। ସିଏସ୍‌କେ ଖଲିଲ ଅହମ୍ମଦ ଓ ନାଥନ ଏଲିସଙ୍କୁ ଟ୍ରେଡ କରିବା ବଦଳରେ ଲିଆମ ଲିଭିଂଷ୍ଟୋନ ଓ ଜ୍ୟାକ ଏଡୱାର୍ଡସଙ୍କୁ ନିଜ ଦଳରେ ସାମିଲ କରିଛି।

ଚେନ୍ନାଇ ସୁପର କିଙ୍ଗ୍ସ ଖଲିଲ ଅହମ୍ମଦ ଓ ନାଥନ ଏଲିସଙ୍କୁ ଦଳରୁ ଛାଡ଼ିଛି। ସନରାଇଜର୍ସ ହାଇଦ୍ରାବାଦ ଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ୪.୮ କୋଟି ଟଙ୍କାରେ ଟ୍ରେଡ କରିଛି। ଏହା ସହ ଅଷ୍ଟ୍ରେଲିଆର ଷ୍ଟାର୍‌ ଦ୍ରୁତ ବୋଲର ନାଥନ ଏଲିସଙ୍କୁ ୨ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି।

ଏହା ବଦଳରେ ଚେନ୍ନାଇ ସୁପର କିଙ୍ଗ୍ସ ଇଂଲଣ୍ଡର ସ୍ପିନ ବୋଲିଂ ଅଲରାଉଣ୍ଡର ଲିଆମ ଲିଭିଂଷ୍ଟୋନଙ୍କୁ ୬ କୋଟି ଟଙ୍କାରେ ଦଳରେ ସାମିଲ କରିଛି। ଗତ ସିଜିନରେ ଲିଭିଂଷ୍ଟୋନଙ୍କୁ ୧୩ କୋଟି ଟଙ୍କା ମିଳୁଥିଲା।

ସେହିପରି ଅଷ୍ଟ୍ରେଲିଆର ଉଦୀୟମାନ ଦ୍ରୁତ ବୋଲିଂ ଅଲରାଉଣ୍ଡର ଜ୍ୟାକ ଏଡୱାଡସଙ୍କୁ ୩ କୋଟି ଟଙ୍କାରେ ସିଏସ୍‌କେ ନିଜ ଦଳରେ ସାମିଲ କରିଛି। ଏହି ଦୁଇ ଖେଳାଳିଙ୍କୁ ଆଇପିଏଲ ୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ବିଶେଷ ସୁଯୋଗ ମିଳିନଥିଲା।

ଲିଆମ ଲିଭିଂଷ୍ଟୋନଙ୍କ ଆଗମନ ପରେ ସିଏସ୍‌କେ ଅଷ୍ଟ୍ରେଲିଆର ମ୍ୟାଥ୍ୟୁ ଶର୍ଟଙ୍କୁ ରିଲିଜ କରିପାରେ। ସେହିପରି ଜ୍ୟାକ ଏଡୱାର୍ଡସଙ୍କ ଯୋଗଦାନ ପରେ ଫ୍ରାଞ୍ଚାଇଜି ଜ୍ୟାକ ଫାଉଲ୍କସଙ୍କୁ ମଧ୍ୟ ଛାଡ଼ିବା ନିଷ୍ପତ୍ତି ନେଇପାରେ। ଦ୍ରୁତ ବୋଲର ଖଲିଲ ଅହମ୍ମଦ ଗତ ସିଜିନରେ ସିଏସ୍‌କେ ପାଇଁ ୫ଟି ମ୍ୟାଚ ଖେଳିଥିଲେ। ଏଥିରେ ସେ ୭୩ ହାରରେ ମାତ୍ର ୨ଟି ଉଇକେଟ୍‌ ନେଇଥିଲେ। ତେବେ ଆଇପିଏଲ ୨୦୨୫ରେ ଖଲିଲ ୧୪ଟି ମ୍ୟାଚ ଖେଳି ୨୯.୮୦ ହାରରେ ୧୫ଟି ଉଇକେଟ୍‌ ନେଇଥିଲେ।

ଗତ ସିଜନରେ ଆହତ ସମସ୍ୟା କାରଣରୁ ଖଲିଲ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ମୁକେଶ ଚୌଧୁରୀ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ଖଲିଲଙ୍କ ବିନା ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରିବ ବୋଲି ଫ୍ରାଞ୍ଚାଇଜି ଆତ୍ମବିଶ୍ୱାସୀ ହୋଇଛି।
ଅନ୍ୟପକ୍ଷରେ ନାଥନ ଏଲିସ ଗତ ସିଜିନରେ ଖେଳିନଥିଲେ। ସେ ସିଏସ୍‌କେ ପାଇଁ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ। ଏଥିରେ ସେ ୩୮ ରନ ବ୍ୟୟ କରି ଗୋଟିଏ ଉଇକେଟ୍‌ ନେଇଥିଲେ।

ଏବେ ଲିଆମ ଲିଭିଂଷ୍ଟୋନଙ୍କ କଥା ଦେଖିବାକୁ ଗଲେ, ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ମାତ୍ର ୨ଟି ମ୍ୟାଚ ଖେଳିବାର ସୁଯୋଗ ଦେଇଥିଲା। ଏହି ଦୁଇଟି ମ୍ୟାଚରେ ସେ ବୋଲିଂ କରିନଥିବା ବେଳେ ବ୍ୟାଟିଂରେ ମାତ୍ର ୧୫ ରନ କରିଥିଲେ।

ସେହିପରି ଜ୍ୟାକ ଏଡୱାର୍ଡସଙ୍କୁ ଏପର୍ଯ୍ୟନ୍ତ ଆଇପିଏଲରେ ଖେଳିବାର ସୁଯୋଗ ମିଳିନାହିଁ। ତେଣୁ ତାଙ୍କୁ ଏବେ ନିଜ ପ୍ରତିଭାକୁ ପ୍ରମାଣ କରିବାକୁ ପଡ଼ିବ। ସିଏସେ୍‌କେ ଦଳରେ ସେ ଜେମି ଓଭରଟନଙ୍କ ବ୍ୟାକଅପ ଭାବେ କାର୍ଯ୍ୟ କରିବେ।

Dharitri – Odisha’s No.1 Odia Daily

Share
Tags: CSK