ନୂଆଦିଲ୍ଲୀ,୧୧।୧୧: IPL ୨୦୨୭ ସିଜିନ୍ ପୂର୍ବରୁ ଖେଳାଳିଙ୍କ ଟ୍ରେଡ୍କୁ ନେଇ କ୍ରିକେଟ୍ ଜଗତରେ ବଡ଼ ହଲଚଲ୍ । ଏଥର ଟ୍ରେଡ୍ ଡିଲ୍ ମାଧ୍ୟମରେ ଦୁଇଟି ଦଳର ଅଧିନାୟକ ଅନ୍ୟ ଦଳକୁ ଯାଇଛନ୍ତି । ଋଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଛାଡ଼ି ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଛନ୍ତି । IPL ଇତିହାସରେ ଏଭଳି ଘଟଣା ପୂର୍ବରୁ ହୋଇନଥିବା ଦାବି କରାଯାଉଛି।
ଆଗାମୀ ସିଜିନ୍ ପାଇଁ ଖେଳାଳି ଟ୍ରେଡ୍ ୱିଣ୍ଡୋ ଖୋଲା ରହିଛି । ଡିସେମ୍ବରରେ ଗୋଆରେ IPL ୨୦୨୭ ନିଲାମ ହେବାକୁ ଥିବା ବେଳେ, ଏହା ପୂର୍ବରୁ ସମସ୍ତ ୧୦ଟି ଦଳକୁ ନଭେମ୍ବର ୧୭ ସୁଦ୍ଧା ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଜାରି କରିବାକୁ ପଡ଼ିବ । ଏପର୍ଯ୍ୟନ୍ତ ଟ୍ରେଡ୍ ଡିଲ୍ ମାଧ୍ୟମରେ ମୋଟ ୧୦ ଜଣ ଖେଳାଳିଙ୍କ ଦଳ ବଦଳିଛି। ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଯାଇଥିବା ଋଷଭ ପନ୍ତ ଏବେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି । ତାଙ୍କ ନୂଆ ଦରମା ୧୫ କୋଟି ଟଙ୍କା ରହିବ । ଅର୍ଥାତ୍ ତାଙ୍କ ଦରମାରେ ବଡ଼ ହ୍ରାସ ହୋଇଛି ।
ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୬.୫ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସରୁ ପଞ୍ଜାବ କିଙ୍ଗ୍ସକୁ ଯାଇଛନ୍ତି । ଅନ୍ୟପଟେ ପଞ୍ଜାବର ଅର୍ଶଦୀପ ସିଂହ ୧୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମଧ୍ୟ ଏକାଧିକ ଖେଳାଳିଙ୍କ ଅଦଳବଦଳ ହୋଇଛି। ଚେନ୍ନାଇରୁ ଖଲିଲ ଅହମ୍ମଦ ଓ ନାଥନ ଏଲିସ୍ ହାଇଦ୍ରାବାଦକୁ ଯାଇଥିବା ବେଳେ, ହାଇଦ୍ରାବାଦରୁ ଜ୍ୟାକ୍ ଏଡୱାର୍ଡସ୍ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଚେନ୍ନାଇରେ ସାମିଲ ହୋଇଛନ୍ତି।
ଋଷଭ ପନ୍ତ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ରୁ ଦିଲ୍ଲୀ କ୍ୟାପିଟାଲ୍ସ – ୧୫ କୋଟି ଟଙ୍କା।
କୁଲଦୀପ ଯାଦବ: ଦିଲ୍ଲୀ କ୍ୟାପିଟାଲ୍ସରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – ୧୩.୫ କୋଟି ଟଙ୍କା।
ଟି. ନଟରାଜନ: ଦିଲ୍ଲୀ କ୍ୟାପିଟାଲ୍ସରୁ ସନ୍ରାଇଜର୍ସ ହାଇଦ୍ରାବାଦ – ୫ କୋଟି ଟଙ୍କା।
ଜିଶାନ ଅନସାରୀ: ସନ୍ରାଇଜର୍ସ ହାଇଦ୍ରାବାଦରୁ ଦିଲ୍ଲୀ କ୍ୟାପିଟାଲ୍ସ – ୪୦ ଲକ୍ଷ ଟଙ୍କା।
ଲିଆମ୍ ଲିଭିଙ୍ଗଷ୍ଟୋନ୍: ସନ୍ରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗ୍ସ – ୬ କୋଟି ଟଙ୍କା।
ଜ୍ୟାକ୍ ଏଡୱାର୍ଡସ୍: ସନ୍ରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗ୍ସ – ୩ କୋଟି ଟଙ୍କା।
ଖଲିଲ ଅହମ୍ମଦ: ଚେନ୍ନାଇ ସୁପର କିଙ୍ଗ୍ସରୁ ସନ୍ରାଇଜର୍ସ ହାଇଦ୍ରାବାଦ – ୪.୮ କୋଟି ଟଙ୍କା।
ନାଥନ ଏଲିସ୍: ଚେନ୍ନାଇ ସୁପର କିଙ୍ଗ୍ସରୁ ସନ୍ରାଇଜର୍ସ ହାଇଦ୍ରାବାଦ – ୨ କୋଟି ଟଙ୍କା।
ହାର୍ଦ୍ଦିକ ପାଣ୍ଡ୍ୟା: ମୁମ୍ବାଇ ଇଣ୍ଡିଆନ୍ସରୁ ପଞ୍ଜାବ କିଙ୍ଗ୍ସ – ୧୬.୫ କୋଟି ଟଙ୍କା।
ଅର୍ଶଦୀପ ସିଂହ: ପଞ୍ଜାବ କିଙ୍ଗ୍ସରୁ ମୁମ୍ବାଇ ଇଣ୍ଡିଆନ୍ସ – ୧୮ କୋଟି ଟଙ୍କା।
ଏହି ଟ୍ରେଡ୍ ଡିଲ୍ ପରେ IPL ୨୦୨୭କୁ ନେଇ କ୍ରିକେଟ୍ପ୍ରେମୀଙ୍କ ଉତ୍ସାହ ବଢ଼ିଛି । ଏବେ ସମସ୍ତଙ୍କ ନଜର ନଭେମ୍ବର ୧୭ରେ ଜାରି ହେବାକୁ ଥିବା ରିଟେନ୍ ଓ ରିଲିଜ୍ ତାଲିକା ଉପରେ ରହିଛି ।