ନୂଆଦିଲ୍ଲୀ,୧୫।୪: ଆଇପିଏଲ୍ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ, ମାତ୍ର ଗୋଟିଏ ମ୍ୟାଚ୍ରେ ପରାଜୟର ସ୍ବାଦ ଚାଖିଛି। ଏହି ପରାଜୟ ଦଳକୁ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ମିଳିଛି। ତେବେ ଏହି ହାରକୁ ନେଇ କ୍ରିକେଟ ପ୍ରେମୀମାନେ ଚିନ୍ତିତ ଥିବାବେଳେ, ତଥ୍ୟ କିନ୍ତୁ ଭିନ୍ନ କିଛି କହୁଛି। ଅନେକଙ୍କ ପାଇଁ ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ, କିନ୍ତୁ ଏହି ପରାଜୟ ରାଜସ୍ଥାନ ରୟାଲ୍ସ ପାଇଁ ଚଳିତ ବର୍ଷ ଆଇପିଏଲ୍ ଚାମ୍ପିଅନ ହେବାର ଏକ ବଡ଼ ସଙ୍କେତ ନେଇ ଆସିଛି।
ଆସନ୍ତୁ ଜାଣିବା। ରାଜସ୍ଥାନ ରୟାଲ୍ସର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ପରାଜୟ ଏକ ରୋଚକ ସଂଯୋଗ ସୃଷ୍ଟି କରିଛି। ପ୍ରାୟ ୧୮ ବର୍ଷ ପୂର୍ବେ, ଅର୍ଥାତ ୨୦୦୮ ମସିହାରେ ଆଇପିଏଲ୍ ପ୍ରଥମ ସଂସ୍କରଣରେ ମଧ୍ୟ ରାଜସ୍ଥାନ ରୟାଲ୍ସର ସ୍ଥିତି ଠିକ ଏହିଭଳି ଥିଲା। ସେହି ବର୍ଷ ଦଳ ନିଜର ପ୍ରଥମ ୫ଟି ମ୍ୟାଚ୍ରୁ ୪ଟିରେ ବିଜୟୀ ହୋଇଥିବାବେଳେ, ଗୋଟିଏ ମ୍ୟାଚ୍ରେ ପରାଜିତ ହୋଇଥିଲା। ଏବଂ ଶେଷରେ, ରାଜସ୍ଥାନ ରୟାଲ୍ସ ସେହି ବର୍ଷ ଆଇପିଏଲ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା।
ଏଥର କେବଳ ପୁରୁଣା ଇତିହାସ କିମ୍ବା ସଂଯୋଗ ନୁହେଁ, ବରଂ ରାଜସ୍ଥାନ ରୟାଲ୍ସର ଶକ୍ତିଶାଳୀ ଦଳ ମଧ୍ୟ ତାଙ୍କୁ ଟାଇଟଲ ଜିତିବାର ପ୍ରମୁଖ ଦାବିଦାର ଭାବେ ଉଭା କରିଛି। ଦଳର ସମସ୍ତ ଖେଳାଳି ଚଳିତ ସିଜନ୍ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ବ୍ୟାଟିଂ ବିଭାଗରେ ବୈଭବ ସୂର୍ଯ୍ୟବଂଶୀ ୫ଟି ମ୍ୟାଚ୍ରେ ୪୦ ହାରରେ ୨୦୦ ରନ ସଂଗ୍ରହ କରିଛନ୍ତି, ତାଙ୍କର ଷ୍ଟ୍ରାଇକ ରେଟ ୨୬୦ରୁ ଅଧିକ ରହିଛି। ସେହିପରି ଧ୍ରୁବ ଜୁରେଲ ୪୪ ହାରରେ ୧୭୬ ରନ ଏବଂ ଯଶସୱୀ ଜୟସ୍ବାଲ ୬୧.୩୩ ହାରରେ ୧୮୪ ରନ ସଂଗ୍ରହ କରି ସାରିଛନ୍ତି।
ବୋଲିଂ ବିଭାଗରେ ମଧ୍ୟ ରାଜସ୍ଥାନ ରୟାଲ୍ସର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ରବି ବିଷ୍ଣୋଇ ୯ଟି ଉଇକେଟ ଏବଂ ଆଚର୍ର୍ ୭ଟି ଉଇକେଟ ହାସଲ କରିଛନ୍ତି। ଏହାଛଡ଼ା ନାନ୍ଦ୍ରେ ବଜର୍ର୍ ଏବଂ ସନ୍ଦୀପ ଶର୍ମାମଧ୍ୟ ୫-୫ଟି ଉଇକେଟ ନେବାରେ ସଫଳ ହୋଇଛନ୍ତି।
ରାଜସ୍ଥାନ ରୟାଲ୍ସ ଚଳିତ ସିଜନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୮ ଉଇକେଟ , ଗୁଜରାଟ ଟାଇଟନ୍ସକୁ ୬ ରନ୍, ମୁମ୍ବାଇ ଇଣ୍ଡିଆନ୍ସକୁ ୨୭ ରନ ଏବଂ ଆରସିବିକୁ ୬ ଉଇକେଟରେ ପରାସ୍ତ କରିଛି। କେବଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳର ବ୍ୟାଟିଂ ବିଭାଗ ବିଫଳ ହୋଇଥିଲା ଏବଂ ତାଙ୍କୁ ୫୭ ରନ୍ର ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି, ଦଳର ବର୍ତ୍ତମାନର ପ୍ରଦର୍ଶନ ଏବଂ ପୁରୁଣା ଇତିହାସର ଏହି ସଂଯୋଗ ଦେଖିଲେ ମନେ ହେଉଛି ଯେ, ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷ ଆଇପିଏଲ ଟାଇଟଲ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।
Dharitri – Odisha’s No.1 Odia Daily