Categories: ଖେଳ

ନାଟକୀୟ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା: ୨ ଘଣ୍ଟାରେ ବଦଳି ଗଲା ସବୁ ଖେଳ

ନୂଆଦିଲ୍ଲୀ,୨୭।୧୧: ଆଇପିଏଲସ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ରିଲିଜ ଓ ରିଟେନଶନ ତାଲିକା ପ୍ରକାଶ କରିଛନ୍ତି। ଏହି ସଂପର୍କରେ ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପୂର୍ବତନ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ରବିବାର ଖେଳାଳି ରିଲିଜ ଓ ରିଟେନଶନର ଶେଷ ଦିବସ ଥିଲା। ତଦନୁସାରେ ଗୁଜରାଟ ଟାଇଟନ୍ସ ପାଣ୍ଡ୍ୟାଙ୍କୁ ଅଧିନାୟକଭାବେ ଅପରିବର୍ତ୍ତିତ ରଖିଥିଲା। ମାତ୍ର ୨ ଘଣ୍ଟାର ନାଟକୀୟ ଘଟଣା କ୍ରମରେ ଗୁଜରାଟ ଓ ମୁମ୍ବାଇ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଆର୍ଥିକ କାରବାର ପରେ ହାର୍ଦ୍ଦିକ ମୁମ୍ବାଇକୁ ଫେରିବା ସମ୍ଭବ ହୋଇ ପାରିଛି। ତେବେ କାଗଜପତ୍ର କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଆଇପିଏଲ୍‌ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁଷ୍ଠାନିକ ଭାବେ ଅନୁମତି ଦେବା ବାକି ରହିଥିବା ଜଣାଯାଇଛି। ”ଅପରାହ୍ନ ୫ଟା ପରେ ହାର୍ଦ୍ଦିକଙ୍କୁ ନେଇ ଆର୍ଥିକ କାରବାର ପ୍ରକ୍ରିୟା ଶେଷ ହୋଇଛି। ତିନି ପକ୍ଷ ମଧ୍ୟରେ ଏହି ଆର୍ଥିକ କାରବାର ହୋଇଛି। ସେ ଏବେ ଜଣେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି“ ବୋଲି ବିସିସିଆଇର ଜଣେ ବରିଷ୍ଠ ପଦାଧିକାରୀ ତଥା ଆଇପିଏଲ ଗଭର୍ନିଂ କାଉନ୍ସିଲ ସଦସ୍ୟ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ଡିସେମ୍ବର ୧୯ରେ ହେବାକୁଥିବା ଖେଳାଳି ନିଲାମ ପୂର୍ବରୁ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗଦେଇ ପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଡିସେମ୍ବର ୧୨ ପର୍ଯ୍ୟନ୍ତ ଟ୍ରେଡିଂ ଓ୍ବିନ୍‌ଡୋ ଓପନ ଥିବାରୁ ହାର୍ଦ୍ଦିକଙ୍କ ପାଇଁ ମୁମ୍ବାଇ ଦଳକୁ ଫେରିବା ପଥ ପରିଷ୍କାର ଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଗତ ଖେଳାଳି ନିଲାମରେ କାମେରନ ଗ୍ରୀନ୍‌ଙ୍କୁ ୧୭.୫ କୋଟି ଟଙ୍କାରେ କିଣିଥିଲା। ହାର୍ଦ୍ଦିକ ୧୫ କୋଟି ଟଙ୍କା ମୂଲ୍ୟରେ ଗୁଜରାଟ ଦଳରେ ରହିଥିଲେ। ଏବେ ହାର୍ଦ୍ଦିକଙ୍କୁ କିଣିବା ପାଇଁ ମୁମ୍ବାଇ ନିକଟରେ ଆବଶ୍ୟକ ଅର୍ଥ ଉପଲବ୍ଧ ନ ଥିଲେ ମଧ୍ୟ ଏପରି ଚୁକ୍ତି କରାଯାଇଛି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ହାର୍ଦ୍ଦିକ ୨୦୨୨ରେ ଟାଇଟନ୍ସରେ ଯୋଗଦେଇଥିଲେ ଏବଂ ଦଳକୁ ଟାଇଟଲ ବିଜୟୀ କରିଥିଲେ। ୨୦୨୩ରେ ତାଙ୍କ ନେତୃତ୍ୱରେ ଦଳ ଫାଇନାଲ ଖେଳିଥିଲା, ମାତ୍ର ଚେନ୍ନାଇ ସୁପର କିଙ୍ଗ୍ସଠାରୁ ହାରି ରନରଅପ୍‌ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ସିଜନ ପାଇଁ ରୋହିତ ଶର୍ମାଙ୍କ ନାମ ଅଧିନାୟକଭାବେ ଘୋଷଣା କରିସାରିଛି।
ପାଣ୍ଡ୍ୟା ଏପର୍ଯ୍ୟନ୍ତ ଆଇପିଏଲରେ ୧୨୩ଟି ମ୍ୟାଚ ଖେଳି ୨୩୦୯ ରନ ସ୍କୋର କରିଛନ୍ତି। ସେ ୧୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାର୍ଦ୍ଦିକଙ୍କ ସର୍ବଶ୍ରେଷ୍ଠ ଆଇପିଏଲ ସ୍କୋର ହେଉଛି ୯୧ ରନ। ସେ ଅଲରାଉଣ୍ଡର ଭାବେ ୫୩ ଉଇକେଟ ନେଇଛନ୍ତି।

Share