ପାଣ୍ଡ୍ୟାଙ୍କ ମୁଣ୍ଡରେ ବାଜିଲା ବାଉନ୍ସର, ଡରିଗଲେ ସ୍ତ୍ରୀ

ମୁମ୍ବାଇ,୧୨।୪: ଆଇପିଏଲ୍‌ ୨୦୨୨ରେ ଏକ ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସ (ଜିଟି) ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ଭେଟିଥିଲା। ଏହି ମ୍ୟାଚ ସମୟରେ ଗୁଜରାଟ ଟାଇଟାନ୍ସ (ଜିଟି) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବାଉନ୍ସର ପକାଇଥିଲେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଦ୍ରୁତ ବୋଲର ଉମରାନ ମଲିକ। ବଲ୍‌ଟି ସିଧାସଳଖ ହେଲମେଟରେ ବାଜିଥିଲା। ଏହି ଘଟଣା ପରେ ଷ୍ଟାଡିୟମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚିୟର୍‌ କରିବାକୁ ଆସିଥିବା ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍‌ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଗୁଜରାଟ ଟାଇଟାନ୍ସର ବ୍ୟାଟିଂ ସମୟରେ ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଉମରାନ ଅଷ୍ଟମ ଓଭରରେ ବୋଲିଂ କରିବାକୁ ଆସିଥିଲେ। ଉମରାନ ଓଭରର ପ୍ରଥମ ବଲ୍‌କୁ ଦ୍ରୁତ ବାଉନ୍ସର୍‌ ସହିତ ବୋଲିଂ କରିଥିଲେ। ଏହା ହାର୍ଦ୍ଦିକଙ୍କ ହେଲମେଟରେ ସିଧା ଯାଇ ବାଜିଥିଲା।ପରେ ଗୁଜରାଟ ଟାଇଟାନ୍ସ ଦଳର ଫିଜିଓ ପଡିଆରେ ଆସି ହାର୍ଦ୍ଦିକଙ୍କ ଚିକିତ୍ସା କରିଥିଲେ। ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ନତାଶା ବହୁତ ଚିନ୍ତିତ ଥିବା ଦେଖାଯାଇଥିଲା। ଅଷ୍ଟମ ଓଭରର ପ୍ରଥମ ବଲ ହେଲମେଟରେ ବାଜିବା ପରେ ହାର୍ଦ୍ଦିକ ଏହି ଓଭରର ଦ୍ୱିତୀୟ ଏବଂ ତୃତୀୟ ବଲରେ କ୍ରମାଗତ ଦୁଇଟି ଚୌକା ମାରିଥିଲେ।
ପାଣ୍ଡ୍ୟା ଏହି ମ୍ୟାଚରେ ୪୨ଟି ବଲରେ ୫୦ ରନ ସଂଗ୍ରହ କରିଥିଲେ। କିନ୍ତୁ ତାଙ୍କ ଦଳକୁ ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ହାତରୁ ୮ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

Share