୩ଟି ବଡ଼ ସଫଳତା ହାସଲ କଲେ ଶିଖର ଧାୱନ

ମୁମ୍ବାଇ,୨୬।୪: ଆଇପିଏଲ ୨୦୨୨ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସର ଓପନର୍‌ ଶିଖର ଧାୱନ  ୩ଟି ବଡ଼ ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ୩୬ ବର୍ଷୀୟ ଧାୱନ ଆଇପିଏଲରେ ନିଜର ୨୦୦ତମ ମ୍ୟାଚ ଖେଳିବାକୁ ଓହ୍ଲାଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏହି ମ୍ୟାଚରେ ସେ ୨ ରନ ସ୍କୋର କରିବା ମାତ୍ରେ ଧାୱନ ଆଇପିଏଲରେ ୬୦୦୦ ରନ ପୂରଣ କରିଥିଲେ। ଏହା ସହ ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଏକ ସ୍ବତନ୍ତ୍ର କ୍ଲବରେ ଯୋଗ ଦେଇଥିଲେ। ମହିଷ ଥିକ୍ଷାନାଙ୍କ ବଲ୍‌ରେ ଛକା ମାରି ସେ ଟି -୨୦ରେ ୯୦୦୦ ରନ ସଂଗ୍ରହ କରିବା ସହ ଆଇପିଏଲ୍‌ରେ ୬ ହଜାର ରନ୍‌ ପୂରଣ କରିଥିଲେ। ସେ ଆଇପିଏଲର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ତାଙ୍କ ଉପରେ କେବଳ ବିରାଟ କୋହଲିଙ୍କ ନାମ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ ଏପର୍ଯ୍ୟନ୍ତ ଆଇପିଏଲରେ ୬୪୦୨ ରନ ସଂଗ୍ରହ କରିଛନ୍ତି।
ଏହି ମ୍ୟାଚରେ ଶିଖର ଧାଓ୍ବନ ମଧ୍ୟ ଟି-୨୦ କ୍ରିକେଟରେ ୯ ହଜାର ରନ ପୂରଣ କରିଥିଲେ। ଟି -୨୦ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ। ବିରାଟ କୋହଲି ମଧ୍ୟ ଏହି ତାଲିକାର ଶୀର୍ଷରେ ଅଛନ୍ତି। ବିରାଟଙ୍କ ନାମରେ ୧୦୩୯୨ ରନ ଅଛି। ଏଥି ସହିତ ଦୁଇ ନମ୍ବରରେ ଓପନର୍‌ ରୋହିତ ଶର୍ମା ରହିଛନ୍ତି। ସେ ୧୦୦୪୮ ରନ କରିଛନ୍ତି। ବର୍ତ୍ତମାନ ଶିଖର ଧାୱନ ୯୦୦୦ ରନ ପୂରଣ କରିଛନ୍ତି।
ଧାୱନ ଆଇପିଏଲରେ ନିଜର ୨୦୦ ତମ ମ୍ୟାଚ ଖେଳିବା ପାଇଁ ଓହ୍ଲାଇଥିଲେ। ସେ ୨୦୦ ଆଇପିଏଲ ମ୍ୟାଚ ଖେଳିବାରେ ଅଷ୍ଟମ ଖେଳାଳି ହୋଇଥିଲେ। ଚେନ୍ନାଇର ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୨୮ ଆଇପିଏଲ ମ୍ୟାଚ ଖେଳିଥିବା ଏହି ତାଲିକାର ଶୀର୍ଷରେ ଅଛନ୍ତି। ଦୀନେଶ କାର୍ତ୍ତିକ ଏବଂ ରୋହିତ ଶର୍ମା ୨୨୧-୨୨୧ ମ୍ୟାଚ ଖେଳିଛନ୍ତି।

Share