ପଡ଼ିଆରେ କାନ୍ଦିଲେ ଏହି କ୍ରିକେଟର୍‌

ମୁମ୍ବାଇ,୧୯।୫: ଆଇପିଏଲ ୨୦୨୨ର ଏକ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିଛି କୋଲକତା ନାଇଟ୍‌ ରାଇଡର୍ସ। ଯଦିଓ କେକେଆର୍‌ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି, କିନ୍ତୁ ଦଳର ଖେଳାଳି ରିଙ୍କୁ ସିଂ ତାଙ୍କର ବିସ୍ଫୋରକ ଇନିଂସ ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କୁ ସୋସିଆଲ୍‌ ମିଡିଆରେ ସମସ୍ତେ ପ୍ରଶଂସା କରୁଛନ୍ତି।
ରିଙ୍କୁ ୧୫ଟି ବଲରେ ୪୦ ରନ୍‌ର ଇନିଂସ ଖେଳିଥିଲେ ଏବଂ ତାଙ୍କ ଇନିଂସରେ ସେ ୨ ଚୌକା ଓ ୪ ଛକା ମାରିଥିଲେ। ଏକ ସମୟରେ ଏହା ଲାଗୁଥିଲା ଯେ ରିଙ୍କୁ କେକେଆର୍‌ ବିଜୟ ଦେବେ କିନ୍ତୁ ଶେଷ ଓଭରରେ ଇଭିନ ଲୁଇସ ଏକ ଚମତ୍କାର କ୍ୟାଚ ନେଇ ତାଙ୍କର ସ୍ମରଣୀୟ ଇନିଂସ ଶେଷ କରିଥିଲେ। ଆଉଟ୍‌ ପରେ ରିଙ୍କୁ ମଧ୍ୟ ନିରାଶ ହୋଇ କାନ୍ଦି ପକାଇଥିଲେ। ଏହି ସମୟରେ, ତାଙ୍କ ବନ୍ଧୁ ନୀତୀଶ ରାଣା ତାଙ୍କୁ ସାନ୍ତ୍ୱନା ଦେଇଥିଲେ।
ଶେଷ ଓଭରରେ କେକେଆର୍‌କୁ ଜିତିବା ପାଇଁ ୨୧ ରନ ଆବଶ୍ୟକ ଥିଲା। ଷ୍ଟୋଇନିସଙ୍କ ପ୍ରଥମ ବଲରେ ରିଙ୍କୁ ଚୌକା ମାରିଥିଲେ। ଦ୍ୱିତୀୟ ଏବଂ ତୃତୀୟ ବଲରେ ରିଙ୍କୁ ଛକା ମାରିଥିଲେ। ଏଠାରୁ ମ୍ୟାଚ କେକେଆର୍‌ ହାତରେ ଥିଲା। ଚତୁର୍ଥ ବଲରେ ରିଙ୍କୁ ୨ ରନ କରି ମ୍ୟାଚ୍‌ ବିଜୟର ନିକଟତର ହୋଇଥିଲେ। ଷ୍ଟୋଇନିସଙ୍କ ପଞ୍ଚମ ବଲରେ ରିଙ୍କୁ ଏକ ସଟ ମାରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଶେଷ ବଲ୍‌ରେ ଉମେଶ ଯାଦବ ବୋଲ୍ଡ ଆଉଟ୍‌ ହୋଇଥିଲେ। ଫଳରେ କେଲକତା ମ୍ୟାଚ୍‌କୁ ୨ ରନ୍‌ରେ ପରାସ୍ତ ହୋଇଥିଲା।

Share