ପ୍ଲେ ଅଫ୍‌ ଲଢ଼େଇ: ଜାଣନ୍ତୁ କେବେ, କିଏ, କାହାକୁ ଭେଟିବ

ମୁମ୍ବାଇ,୨୨।୫: ଆଇପିଏଲ୍‌ ୨୦୨୨ ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲାଭ କରିଥିଲା। ଏଥିସହ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ରେ ପହଞ୍ଚିଥିବା ଚତୁର୍ଥ ଦଳ ସ୍ପଷ୍ଟ ହୋଇଛି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପ୍ଲେ ଅଫ୍‌ରେ ପହଞ୍ଚିଛି। ଏବେ ଗୁଜୁରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମଧ୍ୟରେ ପ୍ଲେ ଅଫ ମୁକାବିଲା ଖେଳାଯିବ।

ପ୍ରଥମ ସିଜନ ଖେଳୁଥିବା ଗୁଜୁରାଟ ଟାଇଟନ୍ସ ୧୪ ଲିଗ୍‌ ମ୍ୟାଚ ମଧ୍ୟରୁ ୧୦ଟି ଜିତି ପ୍ରଥମ ସ୍ଥାନରେ ରହିଛି। ଅପରପକ୍ଷେ ରାଜସ୍ଥାନ ୧୪ ଟି ମ୍ୟାଚରୁ ୯ଟିରେ ବିଜୟ ସହ ଦ୍ୱିତୀୟରେ ଏବଂ ଲକ୍ଷ୍ନୌ ମଧ୍ୟ ୧୪ ଟି ମ୍ୟାଚ ମଧ୍ୟରୁ ୯ ଟି ସହ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ, ଆରସିବି ୧୪ ଟି ବିଜୟ ମଧ୍ୟରୁ ୮ ଟି ସହିତ ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫରେ ପହଞ୍ଚିବାରେ ସଫଳ ହୋଇଥିଲା।

୨୪ ମଇରେ ଖେଳାଯିବାକୁ ଥିବା ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଗୁଜୁରାଟ ଟାଇଟାନ୍ସ କୋଲକାତାର ଇଡେନ ଗାର୍ଡେନ୍ସରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ ଜିତିବା ଦଳ ସିଧା ଫାଇନାଲକୁ ଯିବ। ସେହିଭଳି ମ୍ୟାଚରେ ହାରିଥିବା ଦଳ ଫାଇନାଲରେ ପହଞ୍ଚିବା ପାଇଁ ଦ୍ୱିତୀୟ ସୁଯୋଗ ପାଇବ। ଏଥିପାଇଁ ତାଙ୍କୁ ଏଲିମିନେଟର ମ୍ୟାଚରେ ବିଜେତା ଦଳର ସାମ୍ନା କରିବାକୁ ପଡିବ।

ମେ ୨୫ରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ଟିମ୍‌ ବାଙ୍ଗାଲୋରକୁ ଭେଟିବ। ଏହି ମ୍ୟାଚ୍‌ରେ ବିଜେତା ଦଳକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମେ ୨୭ରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ପରାଜିତ ହୋଇଥିବା ଦଳକୁ ହରାଇବାକୁ ପଡିବ। ଶେଷରେ ମେ ୨୯ରେ ଅହମ୍ମଦାବାଦରେ ଫାଇନାଲ ମୁକାବିଲା ଖେଳାଯିବ। ଫାଇନାଲରେ ପ୍ରଥମ ଏବଂ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ଜିତିଥିବା ବିଜେତା ଦଳ ପରସ୍ପର ସହ ମୁହାଁମୁହିଁ ହେବେ।

Share