ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି ପ୍ରସ୍ତୁତରେ ବ୍ୟସ୍ତ ଥିବା ବେଳେ ଆଇପିଏଲ୍‌କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।
ଆଇପିଏଲ୍‌ ୨୦୨୧ରେ ବାୟୋ ବବଲ ଉଲ୍ଲଂଘନ ନେଇ ଖବର ଚର୍ଚ୍ଚାରେ ରହିଥିଲା। ଏହାକୁ ନେଇ ସିଜନ୍‌କୁ ଅଧାରୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ପରେ ୟୁଏଇରେ ବାକି ମୁକାବିଲା ଆୟୋଜିତ ହୋଇଥିଲା। ୨୦୨୨ରେ ଯେଉଁଭଳି ସେଭଳି କିଛି ପରିସ୍ଥିତି ନ ଉପୁଜେ ତାକୁ ଦୃଷ୍ଟିରେ ରଖି ବିସିସିଆଇ ଆଭିମୁଖ୍ୟକୁ କଠୋର କରିଛି। ସେଭଳି କରିବା ଦ୍ୱାରା ଦଳ ସହ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମ୍ୟାଚ୍‌ରୁ ବହିଷ୍କାର, ଦଳର ଅଙ୍କ ହ୍ରାସ ପାଇବା ସହ ୧ କୋଟିର ଜରିମାନା ଲଗାଯିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ପ୍ରଥମ ଥର ବାୟୋ ବବଲ୍‌ ନିୟମ ଭାଙ୍ଗିଲେ ୭ ଦିନର କ୍ୱାରାଣ୍ଟାଇନ୍‌ ସହ ଉକ୍ତ ଅବଧିରେ ହୋଇଥିବା ମ୍ୟାଚ୍‌ ଲାଗି କୌଣସି ପ୍ରାପ୍ୟ ମିଳିବ ନାହିଁ। ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୭ ଦିନର କ୍ୱାରାଣ୍ଟାଇନ୍‌ ସହ ଗୋଟିଏ ମ୍ୟାଚ୍‌ ପାଇଁ ପ୍ରତିବନ୍ଧକ ଲଗାଯିବ। ଏଥିଲାଗି ଦେୟ ମିଳିବ ନାହିଁ। ତୃତୀୟ ଥର ଏଭଳି କଲେ ଅବଶିଷ୍ଟ ଟୁର୍ନାମେଣ୍ଟରୁ ବାହାର ହେବା ସହ ରିପ୍ଲେସମେଣ୍ଟ ପାଇଁ ଅନୁମତି ମିଳିବ ନାହିଁ।

ସେହିଭଳି ଖେଳାଳିଙ୍କ ପରିବାରଲୋକଙ୍କ ମଧ୍ୟରୁ କୌଣସି ସଦସ୍ୟ ବାୟୋ ବବଲ୍‌ ନିୟମ ଭାଙ୍ଗିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଥମ ଥର ପାଇଁ ୭ ଦିନର କ୍ୱାରାଣ୍ଟାଇନ୍‌, ଦ୍ୱିତୀୟ ଥର ପାଇଁ ବାୟୋବବଲ୍‌ରୁ ବାହାର କରିଦିଆଯିବ।
କୌଣସି ଫ୍ରାଞ୍ଚାଇଜ୍‌ ବାହାରର କୌଣସି ବ୍ୟକ୍ତିଙ୍କୁ ବାୟୋ ବବଲ୍‌କୁ ଆଣିଲେ ଦଣ୍ଡ ସ୍ବରୂପ ୧ କୋଟି ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ। ଏଭଳି ଘଟଣା ଦ୍ୱିତୀୟ ଥର ନ ହେବା ଲାଗି ଦଳର ୧ ଅଙ୍କ ଏବଂ ତୃତୀୟ ଥର ନ ହେବା ଲାଗି ୨ ଅଙ୍କ କାଟିଦିଆଯିବ ବୋଲି ଜଣାପଡ଼ଇଛି।

Share