Categories: ଖେଳ

ମାତ୍ର ୨୦ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍‌: ଭାଙ୍ଗିଲେ ଅନେକ ରେକର୍ଡ

ମୁମ୍ବାଇ,୧୩।୪: ଆଇପିଏଲର ୧୪ ତମ ସିଜନରେ କିଙ୍ଗସ ଏକାଦଶ ପଞ୍ଜାବ ବିଜୟର ସହିତ ଖାତା ଖୋଲିଛି। ଏକ ରୋମାଞ୍ଚକର ମ୍ୟାଚରେ ପୂର୍ବତନ ଚାମ୍ପିୟନ ରାଜସ୍ଥାନ ରୟାଲ୍ସକୁ ମାତ୍ର ୪ ରନ୍‌ରେ ପରାସ୍ତ କରିଛି। ଏହି ବିଜୟରେ କେଏଲ ରାହୁଲ ଏବଂ ଦୀପକ ହୁଡା ବଡ଼ ଅବଦାନ ଥିଲା। ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ପକ୍ଷରୁ ରାହୁଲ (୯୧) ଏବଂ ଦୀପକ ହୁଡା (୬୪)ଙ୍କ ବଳରେ ୬ ଉଇକେଟ ହରାଇ ୨୨୧ ରନ ସଂଗ୍ରହ କରିଥିଲା। ରାଜସ୍ଥାନ ଦଳ ୭ ଉଇକେଟ ହରାଇ ୨୧୭ ରନ ସ୍କୋର କରିଥିଲା।
ପଞ୍ଜାବ ଦଳର ବ୍ୟାଟ୍ସମ୍ୟାନ ଦୀପକ ହୁଡା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୦ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ସହିତ ସେ ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ଅନ୍‌କ୍ୟାପ୍‌ଡ ଖେଳାଳି ହୋଇଥିଲେ। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ୨୦୧୮ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୧୭ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ମ୍ୟାଚରେ ୨୮ ବଲ୍ର ଇନିଂସରେ ଦୀପକ ୪ ଚୌକା ଓ ୬ ଛକା ମାରିଥିଲେ। ଏହା ସହିତ ଦୀପକ ପ୍ରଥମ ଅନ୍‌କ୍ୟାପ୍‌ଡ ଖେଳାଳି ଭାବେ ଆଇପିଏଲ ଇତିହାସରେ ଦୁଇଥର ୨୩ ବଲରୁ କମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଏହାପୂର୍ବରୁ ୨୦୧୫ରେ ରାଜସ୍ଥାନ ପାଇଁ ଖେଳୁଥିବାବେଳେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ବିପକ୍ଷରେ ୨୨ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୨୦୧୬ରେ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଦିଲ୍ଲୀ ବିପକ୍ଷରେ ୨୨ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ।

Share