Categories: ଖେଳ

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟ୍‌କା

ୟୁଏଇ,୧୨।୧୦: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ ଝଟ୍‌କା ଲାଗିଛି। ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଏକ ସପ୍ତାହ ଧରି ଆଇପିଏଲରୁ ବାଦ ଦିଆଯାଇଛି। ଗତ ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ଆହତ ହୋଇଥିଲେ। ଫଳରେ ରବିବାର ଦିନ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିପାରି ନ ଥିଲେ। ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟରଙ୍କ ଅନୁଯାୟୀ, ପନ୍ତଙ୍କ ହାମଷ୍ଟ୍ରିଂ ଆଘାତ ହୋଇଛି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ତାଙ୍କୁ ଏକ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ବରୁଣ ଆରୋନଙ୍କ କ୍ୟାଚ୍‌ ଧରିବା ପରେ ପନ୍ତ ପଡ଼ିଆରେ ଯନ୍ତ୍ରଣା ଅନୁଭବ କରୁଥିବା ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ସେ ରବିବାର ମୁମ୍ବାଇ ବିପକ୍ଷ ମ୍ୟାଚରୁ ଦୂରେଇ ରହିଥିଲେ। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ପରେ ଆୟର କହିଛନ୍ତି, ମୁଁ ଡାକ୍ତରଙ୍କ ସହ କଥା ହୋଇଛି ଏବଂ ସେ କହିଛନ୍ତି ଯେ ରିଷଭ ପନ୍ତଙ୍କୁ ଏକ ସପ୍ତାହ ବିଶ୍ରାମ ନେବାକୁ ପଡିବ। ମୁଁ ଆଶା କରୁଛି ଯେ ବିରତି ପରେ ସେ ଦୃଢ ଭାବରେ ଫେରିବେ। ଚଳିତବର୍ଷ ଦିଲ୍ଲୀ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି ପନ୍ତ। ସେ ଏପର୍ଯ୍ୟନ୍ତ ହାରାହାରି ୩୫.୨୦ରେ ୬ ଇନିଂସ ଖେଳି ୧୭୬ ରନ ସଂଗ୍ରହ କରିଛନ୍ତି। ଅବଶ୍ୟ, ଚଳିତସିଜିନରେ ସେ ଥରେ ବି ଅର୍ଦ୍ଧଶତକ ହାସଲ କରିପାରି ନାହାଁନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍‌ ସିଜିନ୍‌ରେ ୭ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ହାସଲ କରିଛି।

Share