ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ ହୋଇଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଆଉ କିଛି ବଡ଼ ଟ୍ରେଡ ଡିଲ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ, ରାଜସ୍ଥାନ ରୟାଲ୍ସର ହାତ ଛାଡ଼ି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ସରେ ସାମିଲ ହୋଇପାରନ୍ତି ଷ୍ଟାର୍ ଓପନର୍ ଯଶସ୍ବୀ ଜୟସ୍ବାଲ। ଅନ୍ୟପଟେ ଲକ୍ଷ୍ନୌରୁ ନିକୋଲାସ ପୂରନ କିମ୍ବା ଜୋଶ ଇଂଲିସ ରାଜସ୍ଥାନ ଦଳକୁ ଆସିପାରନ୍ତି। ଏହି ଡିଲ ହେଲେ ଦୁଇ ଫ୍ରାଞ୍ଚାଇଜି ମଧ୍ୟରେ ତିନି ଜଣ ଖେଳାଳିଙ୍କ ଅଦଳବଦଳ ହେବ।
ଆଇପିଏଲ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମଧ୍ୟ ଏକ ବଡ଼ ଟ୍ରେଡ ଡିଲ୍କୁ ନେଇ ଚର୍ଚ୍ଚା ହେଉଛି। ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଛାଡ଼ି ପଞ୍ଜାବ କିଙ୍ଗ୍ସକୁ ଯିବେ ଏବଂ ତାଙ୍କ ବଦଳରେ ଅର୍ଶଦୀପ ସିଂହ ପଞ୍ଜାବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିବେ ବୋଲି ଚର୍ଚ୍ଚା ହେଉଛି। ଏହି ଡିଲ ଉପରେ ମୋହର ବାଜିଥିବା କୁହାଯାଉଥିଲେ ମଧ୍ୟ ଏନେଇ ଉଭୟ ଫ୍ରାଞ୍ଚାଇଜି ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ଯଶସ୍ବୀୀ ଜୟସ୍ବାଲଙ୍କ ସହ ସନ୍ଦୀପ ଶର୍ମା ଏବଂ ବିଗ୍ନେଶ ପୁଥୁର ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ସରେ ସାମିଲ ହୋଇପାରନ୍ତି। ଏହାର ବଦଳରେ ଜୋଶ ଇଂଲିସ କିମ୍ବା ନିକୋଲାସ ପୂରନଙ୍କ ସହ ପ୍ରିନ୍ସ ଯାଦବ ରାଜସ୍ଥାନ ରୟାଲ୍ସକୁ ଯାଇପାରନ୍ତି। କିଛି ଦିନ ତଳେ ଏହି ଟ୍ରେଡକୁ ନେଇ ଉଭୟ ଦଳ ମଧ୍ୟରେ ଆଲୋଚନା ହୋଇଥିବା ଖବର ରହିଛି। ତେବେ ଏଯାଏ କୌଣସି ଫ୍ରାଞ୍ଚାଇଜି ଏହାକୁ ନେଇ ଅଧିକାରିକ ଘୋଷଣା କରିନାହାନ୍ତି।
ଲକ୍ଷ୍ନୌ ଓ ରାଜସ୍ଥାନ ମଧ୍ୟରେ ସମ୍ଭାବ୍ୟ ଟ୍ରେଡ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମଧ୍ୟ ଏକ ବଡ଼ ଡିଲ୍କୁ ନେଇ ଚର୍ଚ୍ଚା ହେଉଛି। ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଦଳରେ ଫିନିଶର୍ ଆଶୁତୋଷ ଶର୍ମାଙ୍କୁ ନେବା ପାଇଁ ଗୁଜରାଟ ଟାଇଟନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରସ୍ତାବ ଦେଇଛି। ତେବେ ଏହି ଡିଲ ମଧ୍ୟ ଏଯାଏ ଚୂଡ଼ାନ୍ତ ହୋଇନାହିଁ।
ଆଇପିଏଲ ୨୦୨୭ ପୂର୍ବରୁ ଏପର୍ଯ୍ୟନ୍ତ ହୋଇଥିବା ୮ଟି ଟ୍ରେଡ ଡିଲ
ରିଷଭ ପନ୍ତ-ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଦିଲ୍ଲୀ କ୍ୟାପିଟାଲ୍ସ(୧୫ କୋଟି)
କୁଲଦୀପ ଯାଦବ- ଦିଲ୍ଲୀ କ୍ୟାପିଟାଲ୍ସରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ(୧୩.୫୦ କୋଟି)
ଟି. ନଟରାଜନ- ଦିଲ୍ଲୀ କ୍ୟାପିଟାଲ୍ସରୁ ସନରାଇଜର୍ସ ହାଇଦ୍ରାବାଦ(୫ କୋଟି)
ଲିଆମ ଲିଭିଂଷ୍ଟୋନ-ସନରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗସ(୬ କୋଟି)
ଖଲିଲ ଅହମ୍ମଦ-ଚେନ୍ନାଇ ସୁପର କିଙ୍ଗସରୁ ସନରାଇଜର୍ସ ହାଇଦ୍ରାବାଦ(୪.୮ କୋଟି)
ଜ୍ୟାକ ଏଡୱାର୍ଡସ- ସନରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗସ(୩ କୋଟି)
ନାଥନ ଏଲିସ-ଚେନ୍ନାଇ ସୁପର କିଙ୍ଗସରୁ ସନରାଇଜର୍ସ ହାଇଦ୍ରାବାଦ(୨ କୋଟି)
ଆଇପିଏଲ ୨୦୨୭ ନିଲାମୀ ପୂର୍ବରୁ ଆହୁରି କିଛି ବଡ଼ ଟ୍ରେଡ ଡିଲ ହେବାର ସମ୍ଭାବନା ରହିଛି। ତେବେ ଚର୍ଚ୍ଚାରେ ଥିବା ଏହି ଡିଲ୍ଗୁଡ଼ିକ ଉପରେ ଫ୍ରାଞ୍ଚାଇଜିମାନଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି।