Categories: ଖେଳ

କ୍ରୀଡ଼ା ମହାକୁମ୍ଭ ଲାଗି ଗାଇଡ୍‌ଲାଇନ

ଟୋକିଓ,୧୫।୭: ଆଥ୍‌ଲେଟ, ଉପସ୍ଥାପକ (ପ୍ରେଜେଣ୍ଟର୍ସ) ଓ ଭଲ୍ୟୁଟର୍ସ ଗ୍ରୁପ ଫଟୋ ନେଇ ପାରିବେ ନାହିଁ। ପୋଡିୟମରେ ପଦକଧାରୀ ଆଥ୍‌ଲେଟଙ୍କୁ ପୂରା ସମୟ ମାସ୍କ ପିନ୍ଧିବାକୁ ପଡ଼ିବ। ଏଭଳି ଗାଇଡ୍‌ଲାଇନରେ ଖେଳାଯିବ ଟୋକିଓ ଅଲିମ୍ପିକ୍ସ। ଆସନ୍ତା ୨୩ ତାରିଖରୁ ଜାପାନର ରାଜଧାନୀରେ ଆରମ୍ଭ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ଲାଗି ଗାଇଡ୍‌ଲାଇନ ଜାରି କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)।

କୋଭିଡ୍‌ ମହାମାରୀକୁ ଧ୍ୟାନରେ ରଖି ସ୍ବାସ୍ଥ୍ୟ ସମ୍ପର୍କିତ ଗାଇଡ୍‌ଲାଇନ ଜାରି କରାଯାଇଛି। ଆଥ୍‌ଲେଟ ଓ ପଦକ ଉପସ୍ଥାପକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ଏ ନେଇ ଗତ ଜୁନରେ ଜାରି କରାଯାଇଥିବା ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଥିଲା।

ନୂଆ ଗାଇଡ୍‌ଲାଇନ ଅନୁଯାୟୀ, ପୋଡିୟମରେ ସାମାଜିକ ଦୂରତା ନିୟମ ପାଳନ କରି ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକଧାରୀ ଛିଡ଼ା ହେବେ। ସମସ୍ତ ଉପସ୍ଥାପକ ଟିକା ନେଇସାରିଲେଣି । ପ୍ରତ୍ୟେକ ଇଭେଣ୍ଟରେ ଆଇଓସିର ଜଣେ ସଦସ୍ୟ ଏବଂ ଅନ୍ତର୍ଜାତୀୟ ଫେଡେରେଶନ ପ୍ରତିନିଧି ଉପସ୍ଥିତ ରହିବେ।

ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ଖେଳାଳି, ପଦକ ଉପସ୍ଥାପକ ଓ ଭଲ୍ୟୁଣ୍ଟର୍ସଙ୍କୁ ଗାଇଡଲାଇନ ସମ୍ପର୍କରେ ବୁଝାଇ ଦିଆଯିବ ବୋଲି ଆଇଓସି ପକ୍ଷରୁ କୁହାଯାଇଛି।

Share