କୋର୍ଟରେ ହାଜର ହେଉନାହାନ୍ତି ଆଇଓ, ସରୁନି ବିଚାର

ବ୍ରହ୍ମପୁର,୮ା୧୦(ସୁବାସ ଚନ୍ଦ୍ର ପାଢ଼ୀ)ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ତାରିଖ ପରେ ତାରିଖ ଗଡ଼ୁଛି। ସେପଟେ ବିଚାରରେ ବିଳମ୍ବ ଘଟୁଛି। କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ହାଜର ହେଉନାହାନ୍ତି ତଦନ୍ତକାରୀ ଅଧିକାରୀ। ଶନିବାର ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ବୈଦ୍ୟନାଥପୁର ଥାନାର ଥାନାଧିକାରୀ ଜୟ କୁମାର ପଟନାୟକ ଏଡିଜେ-୩ କୋର୍ଟରେ ହାଜର ହୋଇ ତାଙ୍କ ବୟାନ ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ସେ କୋର୍ଟରେ ହାଜର ହୋଇନଥିଲେ। କୋର୍ଟରେ ହାଜର ପାଇଁ ପୂର୍ବରୁ ସେପ୍ଟେମ୍ବର ୧୨ ଓ ୧୩ ଦୁଇଦିନ ଦିନ ଧାର୍ଯ୍ୟ ହୋଇଥିଲା। ସେତେବେଳେ ବି ସେ କୋର୍ଟରେ ହାଜର ହୋଇନଥିଲେ। ଫଳରେ ଉକ୍ତ ମାମଲାର ବିଚାର ସରୁନାହିଁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ହୋଇଥିବା ବେଳେ ଚଳିତ ଡିସେମ୍ବର ମାସ ସୁଦ୍ଧା ବିଚାର ସରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବୟାନ ରେକର୍ଡ ପାଇଁ ଆସନ୍ତା ୯ତାରିଖ ପରବର୍ତ୍ତୀ ଦିନ ଧାର୍ଯ୍ୟ ହୋଇଛି। ଏନେଇ କେଡର ଅତିରିକ୍ତ ପିପି ବିକ୍ରମ କୁମାର କୁଣ୍ଡୁ ସୂଚନା ଦେଇଛନ୍ତି। ମାମଲାର ବିଚାର ସରୁନି। ଅନ୍ୟପଟେ ରାୟ ପ୍ରକାଶରେ ବିଳମ୍ବ ଘଟୁଛି। ତେଣୁ ମୃତକଙ୍କ ପରିବାର ଲୋକ ନ୍ୟାୟ ପାଇ ପାରୁନାହାନ୍ତି।
ପ୍ରକାଶ ଯେ, ୨୦୧୮ ସେପ୍ଟେମ୍ବର ୪ ରେ ବିଷ୍ଣୁ ଗୌଡ଼ଙ୍କୁ ଏକ ଘରୋଇ ହସ୍ପିଟାଲରେ ହତ୍ୟା କରାଯାଇଥିଲା। ବୈଦ୍ୟନାଥପୁର ପୋଲିସ ହତ୍ୟାକାରୀ ତଥା ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ମାମଲା ନମ୍ବର ୧୮୬/୧୮ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ କପିଳ ପଟ୍ଟନାୟକ ଓ କୃଷ୍ଣପ୍ରସାଦ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ। ସୂଚନା ଅନୁଯାୟୀ, ଗତ ୨୦୧୮ରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ବିଷ୍ଣୁ ଗୌଡ଼ଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଡାକ୍ତର ବିଷ୍ଣୁଙ୍କୁ ନିଶା ଦେଇ ହତ୍ୟା କରିବା ପରେ ତାଙ୍କ ଶରୀରକୁ କ୍ଲିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ଦେଇଥଲେ। ପରେ ଡାକ୍ତର ତ୍ରିପାଠୀ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ସହର ଉପକଣ୍ଠ ପଲିଗୁମୁଳାରେ ଥିବା ତାଙ୍କ କ୍ଲିନିକର ଆବର୍ଜନା ପକାଯାଉଥିବା ସ୍ଥାନରୁ ପୋଲିସ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର କରିଥିଲା। ଏହି ମାମଲାରେ ୪୬ଜଣ ସାକ୍ଷୀ ରହିଛନ୍ତି। ପୂର୍ବରୁ ୨୧ତମ ସାକ୍ଷୀ ଭାବେ କୋର୍ଟରେ ହାଜର ହୋଇଥିବା ଡାକ୍ତର କିରେନ ପଟ୍ଟନାୟକଙ୍କୁ ପ୍ରତିପକ୍ଷ ଓକିଲ ହତ୍ୟା ଘଟଣାର ବିଭିନ୍ନ ଦିଗକୁ ଆଧାର କରି ପ୍ରଶ୍ନ କରିଥିଲେ। ଆସନ୍ତା ୯ ତାରିଖରେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛି। ଏନେଇ କେଡର ଅତିରିକ୍ତ ପିପି ସୂଚନା ଦେଇଛନ୍ତି।