Categories: ଖେଳ

‘ହଂକଂକୁ ହାଲୁକା ଭାବେ ନ ନେଉ ପାକିସ୍ତାନ’

ଦୁବାଇ,୨।୯: ଏସିଆ କପ୍‌ ୨୦୨୦ ଟୁର୍ନାମେଣ୍ଟରେ ଭାରତ ଏବଂ ଆଫଗାନିସ୍ତାନ ସର୍ବପ୍ରଥମେ ସୁପର-୪ ଲାଗି ଯୋଗ୍ୟତା ହାସଲ କରିଥିଲେ। ଏବେ ସମସ୍ତଙ୍କର ନଜର ପାକିସ୍ତାନ ଏବଂ ହଂକଂ ମଧ୍ୟରେ ହେବାକୁ ଥିବା ନିର୍ଣ୍ଣାୟକ ମୁକାବିଲା ଉପରେ ରହିଛି। କାରଣ ଯେଉଁ ଟିମ୍‌ ମ୍ୟାଚ୍‌ ଜିତିବ ସେ ସେପ୍ଟେମ୍ବର ୪ରେ ଭାରତ ସହ ମୁହାଁମୁହିଁ ହେବ। ତେବେ ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ହଂକଂ ଅପେକ୍ଷା ପାକିସ୍ତାନର ଶକ୍ତି ଅଧିକ ବୋଲି କୁହାଯାଉଛି। ହେଲେ ଟି୨୦ ମୁକାବିଲାରେ କିଛି ବି ହୋଇପାରେ।

ପାକିସ୍ତାନର ଏହି ମ୍ୟାଚ୍‌ ପୂର୍ବରୁ ଦଳର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକ୍‌ ଚେତାବନୀ ଦେଇଛନ୍ତି। ହଂକଂକୁ ହାଲୁକା ଭାବେ ଗ୍ରହଣ କର ନାହିଁ। ବରଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇବାକୁ ସେ ପରାମର୍ଶ ଦେଇଛନ୍ତି। ଏହାବ୍ୟତିତ ମ୍ୟାଚ୍‌ ଲାଗି ହାଇଦର ଅଲ୍ଲୀଙ୍କୁ ସୁଯୋଗ ମିଳିବା ଉଚିତ। ଦଳ ଏବେ ଶୋଏବ ମଲିକ ଭଳି ଖେଳାଳିଙ୍କ ଅନୁପସ୍ଥିତିକୁ ମିସ୍‌ କରୁଛି ବୋଲି ମଧ୍ୟ ସେ କହିଛନ୍ତି।

କହିରଖୁଛୁ, ଏସିଆ କପ୍‌ରେ ପାକିସ୍ତାନ ଏଯାବତ ଗୋଟିଏ ମ୍ୟାଚ୍‌ ଖେଳିଛି। ଉକ୍ତ ମ୍ୟାଚ୍‌ରେ ସେ ଭାରତ ସହ ମୁହାଁମୁହିଁ ହୋଇଥିଲା। ଭାରତ ୫ ଉଇକେଟରେ ମ୍ୟାଚ୍‌କୁ ଜିତିନେଇଥିଲା।

Share