Categories: ଖେଳ

ଆଇପିଏଲ ପାଇଁ ଆଇସିସିକୁ ଇଞ୍ଜିମାମଙ୍କ ସମାଲୋଚନା

କରାଚୀ, ୧୨।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଦ୍ୱିତୀୟ ପର୍ଯ୍ୟାୟ ବେଳେ ପାକିସ୍ତାନ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ। ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍‌ରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡର ୮ ପ୍ରମୁଖ ଖେଳାଳି। ଏଥି ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି)କୁ ସମାଲୋଚନା କରିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜିମାମ ଉଲ ହକ୍‌।

ପାକିସ୍ତାନ ଦଳକୁ ମୁଖ୍ୟ ଖେଳାଳିଙ୍କ ସହ ଖେଳିବାକୁ ସୁଯୋଗ ମିଳୁ ନାହିଁ। ଏପ୍ରିଲରେ ଆମେ ଦକ୍ଷିଣ ଆଫ୍ରିକା ଯାଇଥିଲୁ। ସେତେବେଳେ ଦକ୍ଷିଣ ଆଫ୍ରିକା ତା’ର ଷ୍ଟାର ଖେଳାଳିଙ୍କୁ ଆଇପିଏଲ ପାଇଁ ପଠାଇ ଦେଇଥିଲା। ଆଉ ଏବେ ପାକିସ୍ତାନରେ ହେବାକୁ ଥିବା ସିରିଜ୍‌ରୁ ଆଇପିଏଲ ପାଇଁ ୮ ଜଣ ନ୍ୟୁଜିଲାଣ୍ଡର ଖେଳାଳି ଓହରି ଯାଇଛନ୍ତି। ଏପରି କି ଇଂଲଣ୍ଡ ଗସ୍ତରେ ମଧ୍ୟ ତାଙ୍କ ପ୍ରମୁଖ ଖେଳାଳିଙ୍କ ସହ ଖେଳିପାରିଲୁ ନାହିଁ। କ୍ୟାମ୍ପରେ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ ହେବା କାରଣରୁ ଦଳରେ ପରିବର୍ତ୍ତନ କରାଯାଇଥିଲା ବୋଲି ଇଞ୍ଜିମାମ ନିଜ ୟୁଟ୍ୟୁବ ଚାନେଲରେ କହିଛନ୍ତି।

ସେ ଆହୁରି କହିଛନ୍ତି, ମୋ ମତରେ ପାକିସ୍ତାନ ଦଳକୁ ଉଚିତ ପ୍ରାକ୍ଟିସ ମିଳୁ ନାହିଁ। କାରଣ ସେମାନେ ପ୍ରମୁଖ ଖେଳାଳିଙ୍କ ସହ ଖେଳିବାକୁ ସୁଯୋଗ ପାଉ ନାହାନ୍ତି। ଏ ସଂକ୍ରାନ୍ତରେ ଆଇସିସି କରୁଛି କ’ଣ? ସେମାନେ କ’ଣ ଜଣାଇବାକୁ ଚାହୁଁଛନ୍ତି? ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ ବଦଳରେ ଲିଗ୍‌ ମ୍ୟାଚ୍‌କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟର ମାନ ହ୍ରାସ ପାଉଛି। ଯଦି ପୁରା କ୍ରମକୁ ଦେଖିବା, ଏହା କେବଳ ପାକିସ୍ତାନ ସହ ଘଟୁଛି।

Share