ବିଶ୍ୱକପ୍‌ ହକି ପାଇଁ ଆଉ ୩ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ଆସନ୍ତା ୨୦୨୩ ଜାନୁୟାରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଶ୍ୱ କ୍ରୀଡ଼ା ଦେଖିବାକୁ ଓଡ଼ିଶା ଆମନ୍ତ୍ରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ଗତ ୩ ଦିନ ମଧ୍ୟରେ ୧୪ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଶୁକ୍ରବାର ଆଉ ୩ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କୁ ଭେଟି ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ସହିତ ରୂପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି।
ସେହିପରି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଥିରୁଭାନନ୍ତପୁରମ୍‌ଠାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ସାକ୍ଷାତ୍‌ କରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହକି ବିଶ୍ୱକପ୍‌କୁ ଆସିବା ଲାଗି ନିମନ୍ତ୍ରଣ ପତ୍ର ଓ ଜର୍ସି ପ୍ରଦାନ କରିଛନ୍ତି। ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲାଙ୍କୁ ରାୟପୁରଠାରେ ସାକ୍ଷାତ୍‌ କରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ ପତ୍ର, ଜର୍ସି ସହିତ ରୁପାର ଏକ ଅଶୋକ ଚକ୍ର ପ୍ରଦାନ କରି ନିମନ୍ତ୍ରଣ କରିଛନ୍ତି।