ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଅଧିନରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଏହା କାର୍ଯ୍ୟକାରୀ ହେଉଛି ।
ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ରହି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଏହାସହ ଘରକୁ ଘର ଯାଇ କୁନି କୁନି ଶିଶୁମାନଙ୍କୁ ଚକୋଲେଟ ଓ ଫୁଲ ଦେବା ସହ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପାଇଁ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।
ଆସନ୍ତା ଏପ୍ରିଲ ୨ ତାରିଖରେ ସମସ୍ତ ବିଦ୍ୟାଳୟରେ ଖଡ଼ି ଛୁଆଁ ଓ ନାମଲେଖା ଦିବସ ପାଳନ କରାଯିବ । ନୂତନ ଭାବେ ନାମ ଲେଖାଉଥିବା ପିଲାମାନଙ୍କୁ ପାରମ୍ପରିକ ରୀତିରେ ଫୁଲ ଓ ଚନ୍ଦନ ଦେଇ ସ୍ବାଗତ କରାଯିବ। ଏଥିସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ସଦସ୍ୟ, ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଅଭିଭାବକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେତ୍ସା ବାର୍ତ୍ତା ପଢ଼ି ଶୁଣାଯିବା କାର୍ଯ୍ୟକ୍ରମ ରହିଛି । ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଓ ଗୁଣାତ୍ମକ ଶିକ୍ଷାର ମୂଳଦୁଆ ପକାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବ୍ଲକ ଶିକ୍ଷାଧିକାରୀ ଜଣାଇଛନ୍ତି ।କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଶାନ୍ତ ସାହୁ, ପ୍ରଧାନ ଶିକ୍ଷକ ବାବୁଲା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଶାନ୍ତ ନାୟକ, ପୂର୍ବତନ ସଭାପତି ବିନାୟକ ଦାଶ, ଅଙ୍ଗନୱାଡ଼ି କର୍ମୀ ବନିତା ରଥ, ପିଙ୍କି ସୁଆଁସିଆଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଅଭିଭାବକ ଅଂଶ ଗ୍ରହଣ କରିଥିଲେ ।

