Categories: ବାଣିଜ୍ୟ

ନିବେଶକଙ୍କ କ୍ଷତି ୨.୨୨ ଲକ୍ଷ କୋଟି

ମୁମ୍ବାଇ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ବଢ଼ି ଚାଲିଥିଲା। ବୁଧବାର ଏଥିରେ ଝଟକା ଲାଗିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) କାରବାର ଖସିଥିବା ନଜରକୁ ଆସିଛି। ଫଳରେ ନିବେଶକ ୨.୨୨ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୬୯୫ ପଏଣ୍ଟ (୧.୫୬%) ଖସିଛି। ବ୍ୟାଙ୍କିଙ୍ଗ୍‌, ରିୟଲିଟି, ଫାର୍ମା ଏବଂ ଆଇଟି କ୍ଷେତ୍ରର ଷ୍ଟକ୍‌ କାରବାର ବୁଧବାର ପ୍ରଭାବିତ ହୋଇଥିବା ଜଣାପଡିଛି। ସେନ୍‌ସେକ୍ସ ୧.୫୬% ଖସିବା ଯୋଗୁ ଏହା ୪୩,୮୨୮ ପଏଣ୍ଟ ସ୍ତରକୁ ଖସିଆସିଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟି କାରବାର ୧୯୭ ପଏଣ୍ଟ (୧.୫୧%) ନିମ୍ନରେ ରହି ୧୨,୮୫୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
କେବଳ ଓଏନ୍‌ଜିସି ଏବଂ ପାଓ୍ବାର ଗ୍ରୀଡ୍‌ ଭଲ କାରବାର ହାସଲ କରିଛନ୍ତି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ରିୟଲିଟି ଫାର୍ମା ଏବଂ ଘରୋଇ ବ୍ୟାଙ୍କ ଏବଂ ବ୍ୟାଙ୍କ ଶେୟାର କାରବାର ପ୍ରାୟ ୨.୨୫% ହ୍ରାସ ହୋଇଛି। ବଜାର ବିଶେଷଜ୍ଞଙ୍କ ମୁତାବକ, କରୋନା ଭାକ୍ସିନ ଆଶା ଏବଂ ବିଦେଶୀ ନିବେଶକଙ୍କ ମଧ୍ୟରେ ଉତ୍ସାହ ଯୋଗୁ ଭାରତୀୟ ଶେୟାର ବଜାର କାରବାର ବେଶ୍‌ ଉନ୍ନତ ହେଉଥିଲା। ମାତ୍ର ଦିନର ଦ୍ୱିତୀୟ ଭାଗରେ ନିବେଶକ ପ୍ରଫିଟ ବୁକିଂ କରିବା ଯୋଗୁ ବଜାରରେ ଅଚାନକ ହ୍ରାସ ପରିଲକ୍ଷିତ ହୋଇଛି। ସ୍ବଳ୍ପ ମିଆଦୀ ଭିତ୍ତିରେ ପ୍ରଫିଟ ବୁକିଂ ଘଟଣା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଶେଷଜ୍ଞ କହିଛନ୍ତି।
ଅପରପକ୍ଷରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ବାଇଡେନ୍‌ଙ୍କ ଟ୍ରାଞ୍ଜିଶନ ଖବର ଆସିବା ପରେ ଆମେରିକାର ଶେୟାର ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାଇଡେନ୍‌ଙ୍କୁ ଶୀଘ୍ର କ୍ଷମତା ହସ୍ତାନ୍ତର କରିବେ ବୋଲି ଜଣାପଡିଛି। ଏହି ଖବର ଆସିବା ପରେ ଓ୍ବାଲ୍‌ଷ୍ଟ୍ରିଟ୍‌ର ପ୍ରମୁଖ ସୂଚକାଙ୍କରେ କାରବାର ବେଶ୍‌ ଉନ୍ନତ ରହିଛି। ବ୍ଲୁ ଚିପ୍‌ ଡାଉ ରେକର୍ଡ ଉଚ୍ଚ ସ୍ତରରେ ରହିଛି। ସେହିଭଳି ଏସ୍‌ଆଣ୍ଡପିର ସମସ୍ତ ୧୧ ସୂଚକାଙ୍କ ଊର୍ଦ୍ଧ୍ୱଗାମୀ ରହିଛି। ଏହି ସମୟରେ ଟେସ୍‌ଲା କମ୍ପାନୀର ଶେୟାର କାରବାର ୩.୩% ବୃଦ୍ଧି ହୋଇଥିବା ନଜରକୁ ଆସିଛି। ୟୁଏସ୍‌ ଶେୟାର ବଜାରରେ ବ୍ୟାଙ୍କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ର ଶେୟାର କାରବାର ଉନ୍ନତ ରହିଛି।

Share