ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି । ଏହି କ୍ରମରେ ଭାରତୀୟ ଶେୟାର ବଜାର କ୍ରମାଗତ ୭ ସପ୍ତାହ ଧରି ଅସ୍ଥିର ରହିଆସିଥିଲାବେଳେ ସୋମବାର ତୀବ୍ର ଚାପର ସମ୍ମୁଖୀନ ହୋଇଛି । ବିଶେଷକରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅହେତୁକ ବୃଦ୍ଧି ନିବେଶକମାନଙ୍କୁ ଶଙ୍କାଗ୍ରସ୍ତ କରିଥିଲାବେଳେ ସୋମବାର ବିଭିନ୍ନ କ୍ଷେତ୍ରରୁ ସେମାନେ ପର୍ଯ୍ୟାପ୍ତ ପରିମାଣରେ ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ବିଏସ୍‌ଇ ପ୍ରମୁଖ ସୂଚକାଙ୍କ ସେନ୍‌ସେକ୍ସରେ ୧୧୦୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିବା ସହ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ସୂଚକାଙ୍କ ନିଫ୍ଟିରେ ମଧ୍ୟ ୩୫୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଛି। ଏଭଳି ସ୍ଥିତିରେ ଅଧିକାଂଶ ପ୍ରମୁଖ କମ୍ପାନୀର ବଜାର ପୁଞ୍ଜି(ଏମ୍‌-କ୍ୟାପ୍‌) ହ୍ରାସ ପାଇବା ସହ ନିବେଶକମାନଙ୍କ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ଘଟିଥିବା କୁହାଯାଇଛି।
ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟ ସମାଧାନ ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେବା ପରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୭ ଡଲାରରେ ପହଞ୍ଚିଛି। ଆମେରିକା ଏବଂ ଇରାନ ମଧ୍ୟରେ କୌଣସି କୂଟନୈତିକ ସମାଧାନ ନ ହେବା କାରଣରୁ ହର୍ମୁଜ୍‌ ପ୍ରଣାଳୀରେ ଉତ୍ତେଜନା ଜାରି ରହିଛି। ଫଳରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଭାରତ ପାଇଁ ଏହି ସ୍ଥିତି ଚିନ୍ତା ବଢ଼ାଇଛି। କାରଣ ଅଶୋଧିତ ତୈଳର ଅଧିକ ମୂଲ୍ୟ ଆମଦାନୀ ଖର୍ଚ୍ଚ ବଢ଼ାଇବା ସହ ମୁଦ୍ରାସ୍ଫୀତି ଚାପକୁ ଆହୁରି ବୃଦ୍ଧିକରିବା ଆଶଙ୍କା ବଢ଼ାଇଛି। ଏହାଛଡ଼ା ଆମେରିକାର ୧୦ ବର୍ଷିଆ ଟ୍ରେଜେରି ବଣ୍ଡ ପୁଣି ଥରେ ପ୍ରାୟ ୫.୨ ପ୍ରତିଶତକୁ ବୃଦ୍ଧି ପାଇବା ଘଟଣା ମଧ୍ୟ ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାଦ୍ୱାରା ଡଲାର ସହ ଜଡ଼ିତ ସମ୍ପତ୍ତିଗୁଡ଼ିକ ଅଧିକ ଆକର୍ଷଣୀୟ ହୋଇପାରେ ଏବଂ ଏହା ବିକାଶଶୀଳ ବଜାରଗୁଡ଼ିକର ଇକ୍ୱିଟି ଉପରେ ଚାପ ପକାଇବା ଆଶଙ୍କା ବଢ଼ାଇଥିବାରୁ ବିଦେଶୀ ନିବେଶକମାନେ ପର୍ଯ୍ୟାପ୍ତ ପରିମାଣରେ ଭାରତୀୟ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି।

 

Dharitri – Odisha’s No.1 Odia Daily

Share
Tags: Share Market