ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ ଆସି ମୋତେ କହିଲା, ”ସାର, ଆପଣ ତ ପ୍ରାୟ ପ୍ରତିଦିନ ଏଠାକୁ ଆସୁଛନ୍ତି ପ୍ରାତଃ ଭ୍ରମଣ ପାଇଁ। ପାଖାପାଖି ବର୍ଷେରୁ ଅଧିକ ଦିନ ଆପଣ ମୋତେ ଦେଖିଆସୁଛନ୍ତି,ମୁଁ ଆପଣଙ୍କ ସମୟରେ ଏଠାରେ ଡ୍ୟୁଟି କରେ। ତେବେ ଆପଣ ଜାଣିବାରେ ଆଜ୍ଞା,ମୁଁ କ’ଣ ପାର୍କକୁ ଆସୁଥିବା କେହି ସାର୍ କି ମାଡାମଙ୍କ ପ୍ରତି କେବେ ଖରାପ ବ୍ୟବହାର କରିଛି କି?“
ତା’ ମୁହଁରୁ ଏଭଳି କଥା ଶୁଣି ମୁଁ ଭାବିଲି, ବୋଧହୁଏ ତା’ପ୍ରତି କୌଣସି ଅପ୍ରତ୍ୟାଶିତ ଆହ୍ବାନ ଆସିଛି କିମ୍ବା କେହି ତା’ ବିରୋଧରେ କିଛି ନା କିଛି ଅଭିଯୋଗ ଆଣିଛନ୍ତି। ଯା’ର ମନ୍ଦ ପ୍ରଭାବରେ ସେ ମ୍ରିୟମାଣ ହୋଇ ମୋତେ ଏ ପ୍ରଶ୍ନ ପଚାରୁଛି! ମୁଁ ତା’ ଭାବାବେଗକୁ ଭଲଭାବେ ବୁଝି କହିଲି, ”କ’ଣ ହେଲା କି ? ମୋ ଜାଣିବାରେ, ଯେତିକି ସମୟ ମୁଁ ଏ ପାର୍କ ଭିତରେ ବିତାଏ, ତୁମେ ତ କାହା ସହ ଖରାପ ବ୍ୟବହାର କରିନାହଁ। ବରଂ ତୁମର କଥାବାର୍ତ୍ତା ଓ ବ୍ୟବହାର ମୋତେ ଇମ୍ପ୍ରେସ କରେ।“ ସେ ଛେପ ଢୁକି ନିଜ ଭିତରେ ଦମ୍ଭ ସଞ୍ଚି ମୋତେ କହିଲା,”ସାର୍, ମୁଁ କୁଆଡ଼େ ସିନିୟର ସିଟିଜେନଙ୍କ ସହ ଖରାପ ବ୍ୟବହାର କରୁଛି ବୋଲି ମୋ ବିରୋଧରେ ଅଭିଯୋଗ ଆସିଛି! ଏ ନେଇ ଆମ ସଂସ୍ଥାର ଏଠିକାର ସୁପରଭାଇଜର ସାର୍ ମୋତେ ଚେତେଇ ଦେଇ କହିଛନ୍ତି, ”ଦେଖ ବେଟା, ଜ୍ୟାଦା ଓଭରସ୍ମାର୍ଟ ଦେଖାଉଛୁ ନାଇଁ? ବୁଝିଲୁ,ସିଧା ତୋତେ ଏ ଜାଗାରୁ ଅନ୍ୟ କେଉଁ ଦୂର ଜାଗାକୁ ଟ୍ରାନ୍ସଫର କରିଦେବି ! “
ଆଜ୍ଞା,ମୋତେ ଯଦି ସୁପରଭାଇଜର ସାର୍ ଦୂର ଜାଗାକୁ ଟ୍ରାନ୍ସଫର କରିଦେବେ, ତେବେ ମୁଁ ବହୁତ ହଇରାଣ ହୋଇଯିବି।“ ତା’ ଚିନ୍ତା, ଉଦ୍ବେଗ,ଆଶଙ୍କାର ଭାବକୁ ହୃଦ୍ବୋଧକରି ମୁଁ ତାକୁ କହିଲି, ”ଦେଖ, ମୋତେ ଯାହା ଲାଗୁଛି, ଅସଲ କଥା ହେଲା,ତୁମ ସୁପରଭାଇଜର ବାବୁଙ୍କର ଇଏ ହୁଏତ ଏକ ମନଗଢ଼ା କାହାଣୀ! ସେ ହୁଏତ ତାଙ୍କ ମତଲବରେ ଥାଇପାରନ୍ତି! ତୁମ ବିରୋଧରେ ଏମିତି ମିଥ୍ୟା ଅଭିଯୋଗ ସୃଷ୍ଟିକରି ତୁମକୁ ହଟେଇ ତୁମ ଜାଗାରେ ସେ ତାଙ୍କର କେହି ନିଜ ଲୋକଙ୍କୁ ରଖିବାର ମସୁଧାରେ ହୁଏତ ଆଗକୁ ବଢୁଥିବେ ! ତେଣୁ ଏ ଘଟଣା ଉପରେ ତୁମକୁ ମୋର ସୁଚିନ୍ତିତ ପରାମର୍ଶ ହେଉଛି, ତୁମେ ଆଦୌ ପ୍ରତିକ୍ରିୟାଶୀଳ ନ ହୋଇ ତାଙ୍କୁ ନମ୍ରଭାବରେ କହିବ,”ଦେଖନ୍ତୁ ସାର୍, ମୁଁ କୌଣସି ସିନିୟର ସିଟିଜେନ୍ଙ୍କ ପ୍ରତି ଖରାପ ବ୍ୟବହାର ଦେଖାଇନାହିଁ। ମୁଁ ସେମାନଙ୍କୁ ସମ୍ମାନ ଜଣାଇ ପ୍ରତିଦିନ ନମସ୍କାର କରେ। ଆପଣଙ୍କ ସଦୟ ଗୋଚରାର୍ଥେ ପାର୍କକୁ ଆସୁଥିବା ସାର୍ ଓ ମାଡାମମାନଙ୍କର ଦସ୍ତଖତ ଓ ମୋବାଇଲ ନମ୍ବର ସମ୍ବଳିତ ଏଜ୍ ଲେଖା ମୁଁ ଆପଣଙ୍କୁ ଅବଶ୍ୟ ପ୍ରଦାନ କରିବି। ଆପଣ ସିଧାସଳଖ ସେମାନଙ୍କ ସହ କଥାବାର୍ତ୍ତା ହୋଇ ସତ କ’ଣ, ମିଛ କ’ଣ, ତାହା ଅବଶ୍ୟ ଜାଣିପାରିବେ !“ମୋର ଏମନ୍ତ ପରାମର୍ଶ ଶ୍ରବଣାନ୍ତେ ତା’ ଭିତରେ ସମ୍ଭବତଃ ଆତ୍ମବିଶ୍ୱାସ ଆସିଗଲା!
ଅତ୍ୟନ୍ତ ଉତ୍ସାହିତ ଓ ଅନୁପ୍ରେରିତ ହୋଇ ସେ ମୋତେ କହିଲା,”ଧନ୍ୟବାଦ ସାର୍ ! ଏଣିକି ମୋତେ ଆପଣଙ୍କ କଥାନୁସାରେ କାମ କରିବାକୁ ହେବ।“
ପାଠକେ,ଏ ସିକ୍ୟୁରିଟି ଗାର୍ଡ ସାମ୍ନାକରିଥିବା ଆହ୍ବାନରୁ ଏ କଥା ସ୍ପଷ୍ଟ ଯେ, କୌଣସି କାରଣ ନ ଥାଇ ଅନେକ କ୍ଷେତ୍ରରେ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆଣିବା ଏକ ପ୍ରକାର ସଉକ ହୋଇଗଲାଣି। ନିଜ ନିଜର ସ୍ବାର୍ଥସାଧନ, ପରିଚୟ,ପ୍ରତିଷ୍ଠା ପାଇଁ ଆମେ ଏତେ ମାତ୍ରାରେ ବ୍ୟଗ୍ରାତୁର ଯେ, ପାନରୁ ଟିକେ ଚୂନ ଖସିଗଲେ ଅର୍ଥାତ୍ ସ୍ବାର୍ଥସାଧନରେ କିଞ୍ଚିତ ଆଞ୍ଚ ଆସିଲେ ଆମେ ପ୍ରତିପକ୍ଷକୁ ପାନେ ଦେବା ପାଇଁ ତାଙ୍କ ବିରୋଧରେ ଅଭିଯୋଗ ଥୋପିଦେଇପାରୁ।
ଅବଶ୍ୟ ହୋଇପାରେ, କେଉଁଠି ନା କେଉଁଠି ଅଭିଯୋଗର ସୁଦୃଢ଼ ଭିତ୍ତି ଓ ପ୍ରମାଣ ଥାଇପାରେ।
ଅଭିଯୁକ୍ତ ଆଇନ ହାତରୁ କଦାପି ଖସିଯାଇ ନ ପାରେ! କିନ୍ତୁ,ଏବେ ଯେଉଁ ହାରରେ ରାଜନୀତିର ଖେଳ ଚାଲିଛି, ଖୁଲମଖୁଲା ଦୁର୍ନୀତି ଓ ଭ୍ରଷ୍ଟାଚାର ହେଉଛି, କ୍ଷମତାର ଅପବ୍ୟବହାର ହେଉଛି, ବିଧିବ୍ୟବସ୍ଥା, ଆଇନକାନୁନର ଉଲ୍ଲଂଘନ ହେଉଛି, ‘ମାର୍ ମାର୍ ଭଣ୍ଡାରିଆକୁ ମାର’ ନୀତିରେ ଅନ୍ୟାୟ ଅବିଚାରକୁ ନ୍ୟାୟ ଓ ବିଚାର ସାବ୍ୟସ୍ତ କରାଯାଉଛି, ଶୃଙ୍ଖଳା, ଆଦର୍ଶ, ମୂଲ୍ୟବୋଧ, କର୍ମସଂସ୍କୃତି ଓ ସମୟାନୁବର୍ତ୍ତିତାର ଅବଜ୍ଞା ହେଉଛି; ସେସବୁ କ୍ଷେତ୍ରରେ ତୁଚ୍ଛାରେ କି ମିଛରେ ଅନ୍ୟ ବିରୋଧରେ ଅଭିଯୋଗ ଆଣିବା ଅତି ସହଜ ଓ ସ୍ବାଭାବିକ କଥା ନୁହେଁ କି?
ଆଜ୍ଞା,ପାଣି ଅନ୍ଧ,ନିଆଁ ଅନ୍ଧ,ପ୍ରେମ ଅନ୍ଧ, ରାଜା ଅନ୍ଧ ସୂତ୍ର ପରି ଏବେର ଶାସକ, ପ୍ରଶାସକ ବି ଅନ୍ଧ! ଆସୁଥିବା ଅଭିଯୋଗର ଆଧାର ଓ ସତ୍ୟାସତ୍ୟ ଜାଣିବା ପୂର୍ବରୁ ଆଡ଼ବାୟା ପ୍ରକୃତିର ବଶବର୍ତ୍ତୀ ହୋଇ ତଥାକଥିତ ସର୍ବୋଚ୍ଚ କ୍ଷମତାଧାରୀ କମାଣ୍ଡ ଦିଅନ୍ତି, ଇମିଡି଼ଏଟ୍ ଆକ୍ସନ। ଅର୍ଥାତ୍ ତୁରନ୍ତ ପଦକ୍ଷେପ।
ଅତଏବ, ରାଜନୀତିର ଚକ୍ରବୂ୍ୟହ ଓ କୂଟନୀତିର ପଶାପାଲିରେ ମିଥ୍ୟା ଅଭିଯୋଗ ସତ୍ୟ ସାବ୍ୟସ୍ତ ହେଉଛି। ସଚ୍ଚୋଟ, ସତ୍ୟନିଷ୍ଠ, ନିରୀହ, କର୍ମଠ ବ୍ୟକ୍ତି ମଧ୍ୟ ଦଣ୍ଡ ଭୋଗୁଛନ୍ତି! ଖାଲି ତତ୍ତ୍ୱକୁ ଜାଣିବା କଥା, ଯାହା କହୁଛି, ଆମ ଦେଶର ଆଇନସଂହିତା , ହଜାରେ ଦୋଷୀ ଖସିଯାଆନ୍ତୁ ହେଲେ ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ। ହେଲେ ଏବେର ହେଉ କି ପୂର୍ବର ହେଉ, ଯେଉଁସବୁ ଘଟଣା ଦୁର୍ଘଟଣାର ରୂପ ନେଇଛି କିମ୍ବା ନେଉଛି, ସେସବୁର ସତ୍ୟାସତ୍ୟ ଜାଣିବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ତଦନ୍ତ, ବିଚାରବିଭାଗୀୟ ତଦନ୍ତ, ମନ୍ତ୍ରୀସ୍ତରୀୟ ତଦନ୍ତ, ସଚିବସ୍ତରୀୟ ତଦନ୍ତ, ଗୃହ କମିଟି ତଦନ୍ତ, କ୍ରାଇମବ୍ରାଞ୍ଚ ତଦନ୍ତ ଇତ୍ୟାଦି ତଦନ୍ତ ଚାଲିଛି। ହେଲେ,‘ବହ୍ବାଡ଼ମ୍ବରେ ଲଘୁକ୍ରିୟା’ ସମ ସବୁ ତଦନ୍ତ ପ୍ରାୟତଃ ଓ ବସ୍ତୁତଃ ହେଉଛି ବାଟବଣା । ପର୍ବତର ମୂଷିକ ପ୍ରସବ ପ୍ରାୟ ପ୍ରତ୍ୟେକ ତଦନ୍ତର ଫଳାଫଳ ଶୂନ। ଶୀତଳଭଣ୍ଡାରରେ ତଦନ୍ତର ଫାଇଲ ନାଲିଫିତାରେ ବନ୍ଧାହୋଇ ରହିଯାଉଛି ସବୁଦିନ ସେମିତି!
ଶେଷକୁ ରିଆଲିଟି ଶୋ ! ମଞ୍ଚ ଉପରେ ଅଭିଯୁକ୍ତ, ଅପରାଧୀ ବିନ୍ଦାସ୍ରେ ଉଦଣ୍ଡନୃତ୍ୟ କରୁଥିବାବେଳେ ନିର୍ଦ୍ଦୋଷ, ନିରପରାଧମାନେ ଭୋଗିଚାଲିଛନ୍ତି ସେମିତି ସବୁଦିନ କଷଣ, ପେଷଣ, ଯାତନା, ଲାଞ୍ଛନା। ଏ ରିଆଲିଟି ଶୋ’ରେ ଯବନିକାପାତ ହେବା ନିହାତି ଆବଶ୍ୟକ। କ’ଣ ଆଜ୍ଞା, ମୁଁ କିଛି ଭୁଲ୍ କହିଲି କି।
ମର୍କତନଗର,କଟକ, ମୋ:୯୪୩୭୦୯୦୯୮୫
ରାଧାଶ୍ୟାମ ରାଉଳ

