ନୀଳଗିରି ଅଞ୍ଚଳରେ ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ: ୨୪ ଘଣ୍ଟା ପରେ କାବୁକଲା ପୋଲିସ

ସଜନାଗଡ଼,୧୨।୮ (ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଛୋଟକାନପୁର ଗ୍ରାମର ଜଣେ ନିଶାଶକ୍ତ ଯୁବକ ଉନ୍ମତକାଣ୍ଡ ଘଟାଇଛନ୍ତି। ଦୀର୍ଘ ୨୪ ଘଣ୍ଟା ପରେ ପୋଲିସ ଉକ୍ତ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି। ସେ ହେଲେ ବିଶ୍ୱଜିତ ଦଳେଇ ଓରଫ ରାଜା (୨୬)।
ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ୮ଟାରେ ଗ୍ରାମର ଗୌରାଙ୍ଗ ପାତ୍ର(୫o) ଘରକୁ ଯାଉଥିବା ବେଳେ ରାଜା ତାଙ୍କ ଘର ସମ୍ମୁଖରେ ଅଟକାଇ ଗାଳିଗୁଲଜ କରିଥିଲା l ଗୌରାଙ୍ଗ ଏ ନେଇ ପ୍ରତିବାଦ କରିବାରୁ ରାଜା ଓ ତାଙ୍କ ମା’ ମିଶି ଠେଙ୍ଗାରେ ଗୌରାଙ୍ଗଙ୍କୁ ଆକ୍ରମଣ କରିଥିଲେ l ଏଥିରେ ଗୌରାଙ୍ଗ ତଳେ ପଡିଯାଇ ଚିତ୍କାର କରିବାରୁ ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ l ଫଳରେ ରାଜା ଉତ୍‌କ୍ଷିପ୍ତ ହୋଇ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ l ଏ ନେଇ ଗୌରାଙ୍ଗ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅପରପକ୍ଷରେ ଘଟଣାକୁ ନେଇ ଗ୍ରାମବାସୀ ଏକଜୁଟ ହେବାର ଖବର ପାଇ ରାଜା ଓ ତାଙ୍କ ମା’ ଘରେ କବାଟ ବନ୍ଦକରି ରହିଛନ୍ତି। ଖବର ପାଇ ପୋଲିସ ପହଞ୍ଚି ରାଜା ଓ ତାଙ୍କ ମା’ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ l ଫଳରେ ପୋଲିସ ରାତି ୩ଟାରେ ସେଠାରୁ ଫେରିଥିଲା l ଏ ନେଇ ଗ୍ରାମବାସୀ ବୁଧବାର ସକାଳେ ରାଜାଙ୍କ ଘର ସମ୍ମୁଖରେ ଟାୟାରଜାଳି ରାସ୍ତା ଅବରୋଧ କରିଥିଲେ। ନୀଳଗିରି ଏସ୍‌ଡିପିଓ ଅମୁଲ୍ୟ କୁମାର ଧର, ଆଇଆଇସି ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ l ଦୀର୍ଘ ୨୪ ଘଣ୍ଟା ପରେ ସାଢ଼େ ୧oଟାରେ ପୋଲିସ ରାଜା ଓ ତାଙ୍କ ମାଙ୍କୁ ପୋଲିସ ବଳୟ ମଧ୍ୟରେ ଆଣି ଥାନାରେ ଅଟକ କରିଥିବା ଜଣାପଡିଛି। ପୋଲିସ ଏ ନେଇ ଥାନାରେ କେସ୍‌ ନଂ. ୨୭୮/୨୦ରେ ଏକ ମାମଲା ରୁଜୁ କରିଛି। ପୂର୍ବରୁ ମଧ୍ୟ ରାଜା ବହୁବାର ମଦ୍ୟପାନକରି ଗାଁରେ ମାରଣାସ୍ତ୍ର ଧରି ବୁଲିବା ସହ ଲୋକଙ୍କୁ ଭୟଭୀତ କରିଆସୁଥିବା ଅଭିଯୋଗ ହୋଇଛି।