ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ୁପଡ଼ୁ ଯୁବକଙ୍କ ହ୍ବାଟ୍ସଆପ୍‌ରେ ପହଞ୍ଚି ଯାଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ପରେ….

ଭୁବନେଶ୍ୱର,୨୫।୨: ନିଜକୁ ନୌସେନା ଅଧିକାରୀ କହି ଗଢ଼ିଲେ ସମ୍ପର୍କ । ବିବାହର ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ । ପରେ ଯୁବତୀଙ୍କୁ ବ୍ଲାକ୍‌ମେଲ  କଲେ। ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ ମଧ୍ୟ କରିଦେଲେ। ଜଣେ ଯୁବକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ  ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ସୌମ୍ୟରଞ୍ଜନ ମିଶ୍ର। ତାଙ୍କ ଘର ଜଗତସିଂହପୁରରେ।
ସମ୍ପୃକ୍ତ ଯୁବତୀ ଜଣଙ୍କ ଏକ ମାଟ୍ରିମୋନିଆଲ ସାଇଟ୍‌ରେ ତାଙ୍କର ଏକ ପ୍ରୋଫାଇଲ ଖୋଲିଥିଲେ। ପ୍ରୋଫାଇଲ ଦେଖି ସୌମ୍ୟରଞ୍ଜନ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣଙ୍କ ଏ ନେଇ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଘର ଲୋକେ ସୌମ୍ୟରଞ୍ଜନଙ୍କ ସହିତ ଯୋଗାଯୋଗ କରିଥିଲେ। ସୌମ୍ୟରଞ୍ଜନ ନିଜକୁ ଜଣେ ନୌସେନା ଅଧିକାରୀ ଭାବେ ପରିଚୟ ଦେଇଥିଲେ। ସେ ମୁମ୍ବାଇରେ ରହୁଥିବା  କହିଥିଲେ। ଏଭଳି ମିଥ୍ୟା ତଥ୍ୟ ଦେଇ ସେ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କୁ ନିଜ ଜାଲରେ ଫସାଇ ଦେଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ସୁଯୋଗ ଦେଖି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସେହି ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଦେଖାଇ ସେ ବ୍ଲାକ୍‌ମେଲ୍‌ କରିଥିଲେ।
ପରେ ଯୁବତୀ ଜଣଙ୍କ  ପରିବାର ଲୋକଙ୍କୁ କହି  ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲେ। ଏ ନେଇ ସୌମ୍ୟରଞ୍ଜନ ଯୁବତୀଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହୋଟେଲକୁ ଡାକି ନିର୍ଯ୍ୟାତନା ଦେବା ସହିତ ଭିଡିଓ ଭାଇରାଲ କରି ଦେବେ ବୋଲି ଧମକ ଦେଇଥିଲେ। ତେଣୁ ଭୟରେ ଯୁବତୀ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ସତ୍ତ୍ୱେ ଯୁବତୀଙ୍କ ପିଛା ଛାଡ଼ି ନଥିଲେ ସୌମ୍ୟରଞ୍ଜନ। ଅନ୍ୟତ୍ର ବିବାହ ପାଇଁ ଯୁବତୀଙ୍କର ପ୍ରସ୍ତାବ ପଡ଼ିବା ଜାଣି ସେ ଏହାକୁ ଭାଙ୍ଗି ଦେବା ପାଇଁ ତାଙ୍କ ଘରକୁ ଆସିଥିଲେ।
ଏତିକିରେ କଥା ଶେଷ ହୋଇ ନ ଥିଲା ଏମିତିକି ଯେଉଁ ଯୁବକଙ୍କ ସହିତ ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ୁଥିଲା ତାଙ୍କ ନିକଟକୁ ସୌମ୍ୟ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ହ୍ବାଟ୍ସଆପ୍‌ ପଠାଇ ଦେଉଥିଲେ। ଏହା ସହିତ ଉକ୍ତ ଯୁବକଙ୍କୁ ମଧ୍ୟ ବିବାହ ନ କରିବାକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଉଥିଲେ।