Categories: ଜାତୀୟ

ବିଦେଶୀ ମେଡିକାଲ ଛାତ୍ରୀଛାତ୍ରଙ୍କୁ ଭାରତରେ ଇଣ୍ଟର୍ନଶିପ୍‌ ଅନୁମତି

ନୂଆଦିଲ୍ଲୀ,୬।୩(ଆଇଏଏନ୍‌ଏସ୍‌): ବିଦେଶରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିବା ଛାତ୍ରୀଛାତ୍ର ଭାରତରେ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିପାରିବେ। କୋଭିଡ୍‌-୧୯ ମହାମାରୀ ଏବଂ ୟୁକ୍ରେନ୍‌ ସଙ୍କଟ ଆଦି ସ୍ଥିତି ଯୋଗୁ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିପାରି ନ ଥିବା ବିଦେଶୀ ଛାତ୍ରୀଛାତ୍ରଙ୍କୁ ଭାରତରେ ଏହା ଶେଷ କରିବା ଲାଗି ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଅନୁମତି ପ୍ରଦାନ କରିଛନ୍ତି। ତେବେ ଏଥିପାଇଁ କମିଶନ କେତେକ ସର୍ତ୍ତ ରଖିଛନ୍ତି। ଭାରତରେ ଇଣ୍ଟର୍ନଶିପ୍‌ ପାଇଁ ଆବେଦନ କରିବା ପୂର୍ବରୁ ଛାତ୍ରୀଛାତ୍ର ବିଦେଶରେ ମେଡିକାଲ ଗ୍ରାଜୁଏଟ୍‌ ପରୀକ୍ଷା (ଏଫ୍‌ଏମ୍‌ଜିଇ) ସମ୍ପୂର୍ଣ୍ଣ କରିଥିବା ଆବଶ୍ୟକ।
କୋଭିଡ୍‌ ଏବଂ ଯୁଦ୍ଧ ସ୍ଥିତି ଯୋଗୁ କେତେଜଣ ବିଦେଶୀ ମେଡିକାଲ ସ୍ନାତକ (ଏଫ୍‌ଏମ୍‌ଜି) ସେମାନଙ୍କ ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରି ନ ଥିବା ଦେଖାଯାଇଛି। ସେମାନଙ୍କ ବ୍ୟଥାକୁ ବିଚାରକୁ ନେଇ ଏଠାରେ ଇଣ୍ଟର୍ନଶିପ୍‌ ଶେଷ କରିବା ଲାଗି ସୁଯୋଗ ଦିଆଯିବ ବୋଲି ଏନ୍‌ଏମ୍‌ସି ବିଜ୍ଞପ୍ତିରେ କୁହାଯାଇଛି। ଏନେଇ କମିଶନଙ୍କ ପକ୍ଷରୁ ରାଜ୍ୟ ମେଡିକାଲ କାଉନସିଲ୍‌ଗୁଡ଼ିକ ପାଇଁ ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ ଜାରି କରାଯିବ ବୋଲି ଆଶା କରାଯାଉଛି। ଉକ୍ତ ଗାଇଡ୍‌ଲାଇନ ଆଧାରରେ ରାଜ୍ୟ ମେଡିକାଲ କାଉନସିଲ୍‌ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କିମ୍ବା ଏନ୍‌ଇଇଟି ପରୀକ୍ଷା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏଫ୍‌ଏମ୍‌ଜିମାନଙ୍କ ପଞ୍ଜୀକରଣ କରାଇବେ।
ସୂଚନାଯୋଗ୍ୟ, ବର୍ତ୍ତମାନର ନିୟମାବଳୀରେ ବିଦେଶୀ ମେଡିକାଲ ସ୍ନାତକଙ୍କୁ ଭାରତୀୟ ମେଡିକାଲ କଲେଜରେ ପରୀକ୍ଷା ଦେବା କିମ୍ବା ଇଣ୍ଟର୍ନଶିପ୍‌ କରିବାକୁ ଅନୁମତି ଦିଆଯାଇ ନାହିଁ। ଏମ୍‌ବିବିଏସ୍‌ ପାଠ୍ୟକ୍ରମ, ପ୍ରଶିକ୍ଷଣ ଓ ଇଣ୍ଟର୍ନଶିପ୍‌ ସେହି ବିଦେଶୀ ମେଡିକାଲ କଲେଜରେ କରିବା ଲାଗି ନିୟମାବଳୀରେ କୁହାଯାଇଛି। ଉଦାହରଣ ସ୍ବରୂପ ୟୁକ୍ରେନ୍‌ରେ ଏମ୍‌ବିବିଏ୍‌ ପାଠ୍ୟକ୍ରମ ୫ ବର୍ଷ ୬ ମାସ। ସେଠାର ଛାତ୍ରୀଛାତ୍ରଙ୍କୁ ୧୨ ମାସର ଇଣ୍ଟର୍ନଶିପ୍‌ କରିବାକୁ ପଡ଼ିଥାଏ। ତେବେ ବର୍ତ୍ତମାନର ସ୍ଥିତିକୁ ବିଚାରକୁ ନେଇ ଏନ୍‌ଏମ୍‌ସି ଇଣ୍ଟର୍ନଶିପ୍‌ ନିୟମକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି।

Share