Categories: ଜାତୀୟ

୧୪ ଦିନର ଟ୍ରାଭେଲ ହିଷ୍ଟ୍ରି ଦାଖଲ କରିବେ ଅନ୍ତର୍ଜାତୀୟ ଯାତ୍ରୀ

ନୂଆଦିଲ୍ଲୀ, ୨୮।୧୧: ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି କେନ୍ଦ୍ର ସରକାର ରବିବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଡିସେମ୍ବର ୧ରୁ ଏହି ସଂଶୋଧିତ ଗାଇଡ୍‌ଲାଇନ ଲାଗୁ ହେବ। ଏଥିରେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ୧୪ ଦିନର ଟ୍ରାଭେଲ ହିଷ୍ଟ୍ରି (ଯାତ୍ରା ବିବରଣୀ) ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ସେମାନଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଅପ୍‌ଲୋଡ୍‌ କରିବାକୁ କୁହାଯାଇଛି। ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ଲାଇନ ଜାରି ହୋଇଛି। ଉକ୍ତ ଗାଇଡ୍‌ଲାଇନ ଅନୁଯାୟୀ ଯାତ୍ରୀମାନଙ୍କୁ ଅନ୍‌ଲାଇନ ଏୟାର ସୁବିଧା ପୋର୍ଟାଲରେ ଏକ ସ୍ବଘୋଷଣାନାମା ଫର୍ମ ପୂରଣ କରିବାକୁ ହେବ। ଏଥିରେ ଯାତ୍ରୀଙ୍କ ବିଗତ ଦୁଇ ସପ୍ତାହର ଭ୍ରମଣ ବିବରଣୀ ସହ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ସାର୍ଟିଫିକେଟ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ବିମାନ ଯାତ୍ରା କରିବାର ୭୨ ଘଣ୍ଟା ପୂର୍ବରୁ ଏହା କରିବାକୁ କୁହାଯାଇଛି। କୋଭିଡ୍‌ ରିପୋର୍ଟରେ ଜାଲିଆତି ହୋଇଥିବା ଜଣାପଡ଼ିଲେ ଯାତ୍ରୀଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯିବ।

ନୂଆ ଭାରିଆଣ୍ଟ ଭୟ ରହିଥିବା ୧୨ଟି ଦେଶର ଯାତ୍ରୀଙ୍କୁ ଅଧିକ ସତର୍କ ହେବା ଲାଗି କୁହାଯାଇଛି। ସେମାନେ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ କୋଭିଡ୍‌ ପରୀକ୍ଷା କରାଯିବ। ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ବିମାନ ବନ୍ଦରରେ ଅପେକ୍ଷା କରିବାକୁ ପଡ଼ିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ସେମାନଙ୍କୁ ୭ ଦିନ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ଓ ଅଷ୍ଟମ ଦିନରେ ପୁଣି ଥରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯିବ। ଦ୍ୱିତୀୟ ଥର ନେଗେଟିଭ୍‌ ଆସିବା ପରେ ମଧ୍ୟ ସେମାନେ ଆଉ ୭ ଦିନ ସତର୍କ ରହିବେ। ଅନ୍ୟପକ୍ଷରେ ଯାତ୍ରୀଙ୍କଠାରେ କୋଭିଡ୍‌ ଲକ୍ଷଣ ଦେଖାଦେଲେ ସେମାନଙ୍କୁ ତତ୍କାଳ ଆଇସୋଲେଶନରେ ରଖାଯିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବ। କୋଭିଡ୍‌ ପଜିଟିଭ୍‌ ହୋଇଥିଲେ ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ଲାବରେଟୋରିକୁ ପଠାଯିବ।

Share