Categories: ଫୁରସତ

ଏହି ଦେଶଗୁଡିକରେ ଭାରତର ଛାତ୍ରୀଛାତ୍ରଙ୍କୁ ମିଳିଥାଏ ମାଗଣା ଶିକ୍ଷା!

ସାରା ବିଶ୍ୱରୁ ନିରକ୍ଷରତା ଦୂର କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୮ ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ। ବିଶ୍ୱର ଆବଶ୍ୟକତା ମଧ୍ୟରୁ ସାକ୍ଷରତା ଅନ୍ୟତମ। କାରଣ ଏହାଦ୍ୱାରା ସାମାଜିକ ଏବଂ ଅର୍ଥନୈତିକ ବିକାଶ ହୋଇପାରିବ। ଯେଉଁ ଦେଶର ଲୋକମାନେ ଯେତେ ଶିକ୍ଷିତ ସେହି ଦେଶ ସେତିକି ବିକଶିତ। ତେଣୁ ପ୍ରତ୍ୟେକ ମା’ବାପା ନିଜ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବାକୁ ଚାହିଁଥାନ୍ତି। ମାତ୍ର ବର୍ତ୍ତମାନର ମହଙ୍ଗା ସମୟରେ ତାହା ପୂରଣ କରିବା ସହଜ ନୁହେଁ। ତେବେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷା ଦେଉଥିବା ବିଶ୍ୱବିଦ୍ୟାଳୟଗୁଡିକ ବିଷୟରେ ଜାଣିବା।


ଜର୍ମାନ:
ଉଚ୍ଚଶିକ୍ଷା ମିଳୁଥିବା ଦେଶ ମଧ୍ୟରେ ଅନ୍ୟତମ ହେଉଛି ଜର୍ମାନ। ଏଠାକାର ବିଶ୍ୱବିଦ୍ୟାଳୟର ସବୁଠାରୁ ଭଲ ଗୁଣ ହେଲା ଏଠାରେ ଛାତ୍ରୀଛାତ୍ରଙ୍କଠାରୁ କୌଣସି ଟ୍ୟୁଶନ ଫି ଆଦାୟ କରାଯାଇ ନ ଥାଏ। ଛାତ୍ରୀଛାତ୍ରଙ୍କୁ କେବଳ ପ୍ରଶାସନ ଶୁଳ୍କ ଦେବାକୁ ପଡ଼ିଥାଏ। ଏଠାରେ ଯେ କୌଣସି ଛାତ୍ରୀଛାତ୍ର ପାଠ ପଢ଼ିପାରିବେ, କାରଣ ଏହାର ସିଲାବସ୍‌ ଇଂଲିଶରେ ରହିଛି।


ନରଓ୍ବେ:
ନରଓ୍ବେ ଏମିତି ଏକ ଦେଶ ଯେଉଁଠାରେ ଗ୍ରାଜୁଏଶନ, ପୋଷ୍ଟ ଗ୍ରାଜୁଏଶନ କିମ୍ବା ଡକ୍ଟରେଟ ଡିଗ୍ରୀ ହାସଲ ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ି ନ ଥାଏ। ମାତ୍ର ଏଠାକାର ଅଧିକାଂଶ କଲେଜ ନରଓ୍ବେ ଭାଷାରେ ପାଠ ପଢ଼ାଇଥାନ୍ତି। ତେଣୁ ଏଠାରେ ପାଠ ପଢ଼ିବାକୁ ହେଲେ ନରଓ୍ବେ ଭାଷା ପ୍ରଥମେ ଶିଖିବାକୁ ପଡ଼ିବ।


ସ୍ବିଡେନ:
ସ୍ବିଡେନ ବିଶ୍ୱବିଦ୍ୟାଳୟରେ ବିନା ଟ୍ୟୁଶନ ଫି’ରେ ଛାତ୍ରୀଛାତ୍ରମାନେ ପାଠ ପଢ଼ିଥାନ୍ତି। ଏହି ନିୟମ ଉଭୟ ସ୍ବିଡେନ ଏବଂ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ। ଏହାସହ ସ୍ବିଡେନ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟ ବାହାରର ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରନ୍ତି।


ଅଷ୍ଟ୍ରିଆ:
ଅଷ୍ଟ୍ରିଆ ବିଶ୍ୱବିଦ୍ୟାଳୟଗୁଡିକରେ ମଧ୍ୟ ନାମମାତ୍ର ଚାର୍ଜରେ ଶିକ୍ଷା ପ୍ରଦାନ କରାଯାଇଥାଏ। କେବଳ ନାମଲେଖା ସମୟରେ ବାହାରୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ନାମକୁମାତ୍ର ଶୁଳ୍କ ଦେବାକୁ ପଡ଼ିଥାଏ। ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରିଆ ସବୁ ଦେଶଠାରୁ ସର୍ବୋତ୍ତମ ବୋଲି କୁହାଯାଏ। କାରଣ ଏଠାରେ ଟପ୍‌ କ୍ଲାସ୍‌ ଏଜୁକେଶନ ମିଳିଥାଏ।


ଫିନଲାଣ୍ଡ:
ସ୍ନାତକୋତ୍ତର ଏବଂ ଡକ୍ଟରେଟ ପାଇଁ ମାଗଣାରେ ଶିକ୍ଷା ଦିଆଯାଇଥାଏ। ପ୍ରକାଶ ଯେ, ଫିନଲାଣ୍ଡ ଡିଜାଇନିଂ, ଆର୍କିଟେକ୍ଚର, କମ୍ୟୁନିକେଶନ ପାଇଁ ବହୁତ ଲୋକପ୍ରିୟ। ଏହି ଦେଶରେ ପଲିଟେକ୍‌ନିକ୍‌ କଲେଜ ମଧ୍ୟ ରହିଛି।


ସ୍ପେନ୍‌:
ସ୍ପେନ୍‌ରେ କୌଣସି ମାଗଣା ଶିକ୍ଷା ନାହିଁ। କିନ୍ତୁ ବହୁତ କମ୍‌ ମୂଲ୍ୟରେ ଏଠାରେ ପାଠ୍ୟକ୍ରମ ସମାପ୍ତ ହୋଇପାରିବ। ଏଠାରେ ଛାତ୍ରୀଛାତ୍ରଙ୍କୁ ଉଚ୍ଚସ୍ତରୀୟ ଶିକ୍ଷା ଦିଆଯାଏ।

Share