Categories: ବାଣିଜ୍ୟ

ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ସରକାର ବାତିଲ କରିଛନ୍ତି। କରୋନା ମାମଲା ବର୍ତ୍ତମାନ ନିୟନ୍ତ୍ରଣକୁ ଆସି ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି ଯେ, କେତେକ ବଛାବଛା ରୁଟ୍‌ରେ ବିମାନ ସେବା ଉପଲବ୍ଧ ହେବ। ସ୍ଥିତି ଉପରେ ନଜର ରଖି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଡିଜିସିଏ ସର୍କୁଲାରରେ ସୂଚନା ଦିଆଯାଇଛି। କରୋନା ମହମାରୀକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବାକୁ ମାର୍ଚ୍ଚ ୨୩ ପରଠାରୁ ବାତିଲ କରାଯାଇଛି। ମାତ୍ର ମେ ମାସଠାରୁ ବନ୍ଦେ ଭାରତ ମିଶନ ଏବଂ ଜୁଲାଇରୁ ଏୟାର ବବଲ ଏଗ୍ରିମେଣ୍ଟ ଦ୍ୱାରା କେତେକ ବଛାବଛା ଦେଶକୁ ବିମାନ ସେବା ଉପଲବ୍ଧ ହେଉଛି। ଭାରତ ବର୍ତ୍ତମାନ ସୁଦ୍ଧା ୧୮ ଦେଶ ଏୟାର ବବଲ ଚୁକ୍ତିରେ ସାମିଲ ହୋଇଛି। ଆମେରିକା, ବ୍ରିଟେନ, ୟୁଏଇ, କେନିଆ, ଭୁଟାନ, ଫ୍ରାନ୍ସ ଭଳି ଅନ୍ୟ ଦେଶ ଏହା ମଧ୍ୟରେ ସାମିଲ ଅଛନ୍ତି। ଏଭଳି ଚୁକ୍ତି ଦ୍ୱାରା ଦେଶଗୁଡିକ ନିଜ ନିଜ ଦେଶରେ ନିର୍ଦ୍ଦିଷ୍ଟ ବିମାନ ସେବାକୁ ଅନୁମତି ଦେଇଥାନ୍ତି। ନୂଆ ନିଷ୍ପତ୍ତି ଦ୍ୱାରା ବିମାନ ଦ୍ୱାରା ମାଲ ପରିବହନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଡିଜିସିଏ ସ୍ପଷ୍ଟ କରିଛି। ସେହିଭଳି ପ୍ରାୟ ୨ ମାସ ସେବା ବନ୍ଦ ରହିବା ପରେ ମେ ୨୫ ଠାରୁ ଘରୋଇ ବଜାରରେ ଉଡ଼ାଣକୁ ଅନୁମତି ମିଳିଛି।

Share