Categories: ଜାତୀୟ

ପ୍ରାପ୍ତ ବୟସ୍କଙ୍କୁ ଜୀବନ ସାଥୀ ଚୟନରେ ବାଧା ଦେବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ…

ଶ୍ରୀନଗର,୧୧।୧୧: ପ୍ରାପ୍ତ ବୟସ୍କମାନେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ବାଧା ସୃଷ୍ଟି କରିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ବିଚାର ସମୟରେ ଏଭଳି କୁହାଯାଇଛି।

ପ୍ରାପ୍ତ ବୟସ୍କଙ୍କୁ ନିଜ ପସନ୍ଦର ଜୀବନ ସାଥୀ ଚୟନରେ ପରିବାର ସଦସ୍ୟ ଅବା କୌଣସି ଅନୁଷ୍ଠାନ ପକ୍ଷରୁ ବାଧା ଦେବା ଦ୍ୱାରା ସମ୍ବିଧାନର ଅନୁଚ୍ଛେଦ ୧୯ ଏବଂ ୨୧ର ଉଲ୍ଲଂଘନ ହେବା ସହିତ ଜଣେ ନାଗରିକ ଭାବେ ସେମାନଙ୍କର ମୌଳିକ ଅଧିକାର ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଥାଏ ବୋଲି ବିଚାରପତି ତାଶି ରାବସ୍ତାନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି।

ଦୁଇ ପ୍ରାପ୍ତ ବୟସ୍କ ନିଜ ପସନ୍ଦ ଅନୁସାରେ ବୈବାହିକ ବନ୍ଧନରେ ବାନ୍ଧିହେବା କୌଣସି ଅପରାଧ ନୁହେଁ। ସାବା ଓ୍ବାନିଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ସେ ଏବଂ ତାଙ୍କ ସ୍ବାମୀ ନିଜ ଇଛା ଅନୁସାରେ ବିବାହ କରିଛନ୍ତି।

ସେମାନେ ସ୍ତ୍ରୀସ୍ବାମୀ ଭାବେ ଏକାଠି ରହୁଛନ୍ତି। ତେବେ ସେମାନଙ୍କର ସମ୍ପର୍କୀୟମାନେ ଏହାକୁ ବିରୋଧ କରିବା ସହିତ ସେମାନଙ୍କ ପ୍ରତି ହିଂସାତ୍ମକ ଆଚରଣ ପୋଷଣ କରୁଥିବା ଆବେଦନରେ ଦର୍ଶାଯାଇଥିଲା।

Share