ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା ଅନୁଯାୟୀ ମାଛ ମିଳୁ ନ ଥିବା ଯୋଗୁ ଅନେକ ସମୟରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭରଶୀଳ ହେବାକୁ ପଡୁଛି। ଜିଲର ଆବଶ୍ୟକତା ପୂରଣ ପାଇଁ ସରକାର ଚାଷୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି । ତେଣୁ ଭଞ୍ଜନଗର ବ୍ଲକରେ ମଧ୍ୟ ମତ୍ସ୍ୟ ଚାଷ କିଭଳି ବୃଦ୍ଧି ପାଇବ ସେଥିପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଣୀ ସୁଦେଷ୍ଠା ପାତ୍ର ସରକାରଙ୍କ ଲକ୍ଷ୍ୟକୁ ସଫଳ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତେଣୁ ସେ ନୂଆଧ ଓ ପୁରୁଣା ଚାଷୀଙ୍କୁ ଭେଟି ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଇବା ସହ ମାଛ ଚାଷ କରିବା ପାଇଁ ବୁଝାଉଛନ୍ତି। ଏଥିସହ ଧୀବର ମାନକୁ ମଧ୍ୟ ଭେଟି ସଚେତନ କରାଉଛନ୍ତି। ସରକାରଙ୍କ ଯୋଜନାର ସୁଫଳ ଚାଷୀମାନେ ଉଠାଇଲେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ।
ଅନ୍ୟପଟେ ମାଛ ଚାଷ ପ୍ରତି ମଧ୍ୟ ବ୍ଲକରେ ଦିନକୁ ଦିନ ମତ୍ସ୍ୟ ଚାଷୀଙ୍କ ଆଗ୍ରହ ବଢୁଛି। ସରକାର ମାଛ ଚାଷ କରିବା ପାଇଁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସବସିଡି ଦେଉଛନ୍ତି। ଭଞ୍ଜନଗର ବ୍ଲକରେ ୩୦୦ଦ୍ଧ୍ରୁ ଉର୍ଦ୍ଧ୍ୱ ମତ୍ସ୍ୟ ଚାଷୀ ଥିବା ବେଳେ ସେଥିମଧ୍ୟରୁ ପ୍ରାୟ ଅଧା ଅଗ୍ରଣୀ ଚାଷୀ ଅଛନ୍ତି। ମାଛ ଚାଷ ପାଇଁ ମହିଳା ସୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରାଯାଉଛି। ସରକାରଙ୍କ ପକ୍ଷରୁ ନୂଆ ଚାଷୀ ପୋଖରୀ ଖୋଳିଲେ ସେମାନଙ୍କୁ ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯାଉଛି । ଏଥିସହ ପୁରୁଣା ପୋଖରୀରେ ମାଛ ଚାଷ କରିବା ପାଇଁ ମଧ୍ୟ ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦିଆଯାଉଛି । ଏଥିସହ ଜାଲ କିଣିବା, ଗାଡ଼ି କିଣିବା, ସୋଲାର ଲାଇଟ ସମେତ ଅନ୍ୟାନ୍ୟ ଯନ୍ତ୍ରପାତି କିଣିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସବସିଡି ଦିଆଯାଉଛି ବୋଲି ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଣୀ ପାତ୍ର ଏଠାରେ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily


