ତୀବ୍ର ହେଉଛି ଚାଷୀ ଅସନ୍ତୋଷ

ଢେଙ୍କାନାଳ ଅଫିସ, ୫।୩ ହାତରେ ଟୋକନ ଅଛି, ହେଲେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଟାର୍ଗେଟ ପୂରଣ ହୋଇସାରିଥିବା କହି ନିର୍ଦ୍ଧାରିତ ସମୟ ପୂର୍ବରୁ ମଣ୍ଡି ବନ୍ଦ କରିଦିଆଯିବା ପରେ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି। ଯୋଗାଣ ବିଭାଗ ସରକାରଙ୍କ ନୂଆ ଟାର୍ଗେଟକୁ ଅପେକ୍ଷା କରିଥିବାବେଳେ ଢେଙ୍କାନାଳ ଜିଲାରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କଲାଣି।
ଧାନ କିଣା ଆରମ୍ଭରୁ ଢେଙ୍କାନାଳ ଜିଲାର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିଲା। ତେବେ ଫେବୃୟାରୀରେ ହଠାତ୍‌ ମଣ୍ଡି ବନ୍ଦ କରିଦିଆଯିବା ପରେ ଧାନ ବିକ୍ରି କରି ପାରି ନ ଥିବା ପଞ୍ଜୀକୃତ ଚାଷୀଙ୍କ ଚିନ୍ତା ବଢ଼ିଛି। ଏହାର ପ୍ରତିବାଦରେ ଗୁରୁବାର ଓଡ଼ାପଡା, ଗଁଦିଆ ଏବଂ ସଦର ବ୍ଲକ ଅଧୀନ ୧୦ ପଞ୍ଚାୟତର ଚାଷୀ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଘେରିବା ସହ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।
ଓଡ଼ାପଡ଼ା ବ୍ଲକର ବିଡୋ, ମଙ୍ଗଳପୁର, ଖଡଗପ୍ରସାଦ, ମୋଟଙ୍ଗା, କୁସୁପଙ୍ଗା, କମଳାଙ୍ଗ, ଗଁଦିଆ ବ୍ଲକର ପିଙ୍ଗୁଆ, ବେଗା, ଦଶମାଣପାଟଣା ଏବଂ ସଦର ବ୍ଲକର ଶଙ୍କରପୁର ପଞ୍ଚାୟତର ଶତାଧିକ ଚାଷୀଙ୍କ ଟୋକନ ଅଛି। ହେଲେ ମଣ୍ଡି ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ଧାନ ଉଠୁନାହିଁ। ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। କରଜ ଶୁଝିପାରୁନାହାନ୍ତି କି ରବି ଚାଷ ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇପାରୁ ନ ଥିବା କହିଛନ୍ତି। ତୁରନ୍ତ ମଣ୍ଡିରୁ ଟୋକନଧାରୀଙ୍କ ଧାନ ଉଠା ନ ଗଲେ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

ଚିନ୍ତାରେ ନିଦ ହଜିଯାଇଛି
ଧାନ ଦେବା ପାଇଁ ମେସେଜ ଆସିଲା। କିନ୍ତୁ ମଣ୍ଡି ବନ୍ଦ ହୋଇଯିବାରୁ ଧାନ କିଣା ଗଲାନି। ଧାନ ବିକିଲେ ଝିଅ ବାହାଘର କରିବି। ଚିନ୍ତାରେ ନିଦ ହଜିଯାଇଛି। ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।
-ମୁରଲୀଧର ସାହୁ, କମଳାଙ୍ଗ

ସମବାୟ ସମିତିରେ ଅବ୍ୟବସ୍ଥା
ଟୋକନ ଥାଇ ଚାଷୀ ଧାନ ଦେଇପାରୁନାହାନ୍ତି। ସମବାୟ ସମିତିରେ ଅବ୍ୟବସ୍ଥା ଲାଗିରହିଛି। ଅସନ୍ତୁଷ୍ଟ ଚାଷୀ ଆତ୍ମାହୁତି କରିବାକୁ ଧମକ ଦେଲେଣି। ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ।
-ଦୁର୍ଯ୍ୟୋଧନ ବେହେରା, ଦଶମାଣପାଟଣା ସରପଞ୍ଚ

ଆମ ହାତରେ କିଛିନାହିଁ
ଚାଷୀ ଟୋକନ ଧରି ବସିଛନ୍ତି । କିନ୍ତୁ ଟାର୍ଗେଟ ନାହିଁ। ଜିଲାରେ ଏହା ଏକ ଜଟିଳ ସମସ୍ୟା ହୋଇଛି। ଆମ ହାତରେ ମଧ୍ୟ କିଛି ନାହିଁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ।
-ନିରଦ ରଞ୍ଜନ ଦାସ, ଜିଲା ଯୋଗାଣ ଅଧିକାରୀ