ମାଓବାଦୀ ମୁକ୍ତ ପାଇଁ ଗୋଇନ୍ଦା ନିର୍ଦ୍ଦେଶକଙ୍କ ଆହ୍ବାନ

ବାଲିଗୁଡା,୨୩ା୨(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳକୁ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଦିନିକିଆ ଗସ୍ତରେ ଆସି ବିଭିନ୍ନ ଥାନା ଓ ସିଆର୍‌ପିଏଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଆଇଜି ଅପରେଶନ ଅମିତାଭ ଠାକୁର, ଆଇଜି ସିଆର୍‌ପିଏଫ ଏସ.କେ ମହାନ୍ତି, ସିଆର୍‌ପିଏଫର ୧୨୭ ବାଟାଲିୟନ କମାଡେଣ୍ଟ ଆନନ୍ଦ ଝା, ସିଆର୍‌ପିଏଫ ଡିଆଇଜି, କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଫୁଲବାଣୀ ଏସ୍‌ପି ଅଫିସ ଯାଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ବାଲିଗୁଡା ଆସିଥିଲେ। ବାଲିଗୁଡା ଏସ୍‌ଡିପିଓ ରୋହିତ ବର୍ମା, ସିଆରପିଏଫ, ବିଏସଏଫ ମୁଖ୍ୟଙ୍କ ସମେତ ଡାକା, କନ୍ଧମାଳ-କଳାହାଣ୍ଡି ଜିଲା ସୀମାନ୍ତବର୍ତ୍ତୀ ଭଣ୍ଡରଙ୍ଗୀ ଓ ଲୁବେନଗଡ଼ ସିଆର୍‌ପିଏଫ କ୍ୟାମ୍ପ ବୁଲି ଦେଖିଥିଲେ। ସମଗ୍ର କନ୍ଧମାଳ ଜିଲାକୁ ମାଓବାଦୀ ମୁକ୍ତ କରିବା ନେଇ ଯବାନମାନଙ୍କ ସହ ସମୀକ୍ଷା କରିବା ସହିତ ସେମାନଙ୍କର ମନବଳ ଦୃଢ଼ କରି ଆଗାମୀ ଦିନରେ ନକ୍ସଲ ଦମନ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରାଯିବ ବୋଲି ଗୋଇନ୍ଦା ନିର୍ଦ୍ଦେଶକ ଆହ୍ବାନ ଦେଇଥିଲେ।