ମେଡ଼ିକାଲ ଛାତ୍ର ମୃତ୍ୟର ତଦନ୍ତ ନେଇ ଡିନ୍‌ଙ୍କୁ ଭେଟିଲେ ବୁଦ୍ଧିଜୀବୀ

ବଲାଙ୍ଗୀର ଅଫିସ,୨୫।୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଥମ ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ର଼୍ୟାଗିଂଜନିତ ବୋଲି ଅଭିଯୋଗ ହେବା ପରେ ବଲାଙ୍ଗୀର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋମବାର ଏକ ପ୍ରତନିଧି ଦଳ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଡିନ୍‌ ପ୍ରଫେସର ସବିତା ମହାପାତ୍ରଙ୍କୁ ସାକ୍ଷାତକରି ମେଡିକାଲ ଛାତ୍ର ମୃତ୍ୟୁର କାରଣ ପଚାରି ବୁଝିବା ସହ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିଥିଲେ ।

କୌଣସି ପରିସ୍ଥିତିରେ ର଼୍ୟାଗିଂ ଓ କଲେଜର ବଦନାମ ଗ୍ରହଣୀୟ ନୁହେଁ ବୋଲି ପ୍ରତିନିଧି ଦଳ କହିଥିଲେ । ମିଡିଆ ସାମ୍ନାରେ ଆଲୋଚନା କରିବା ପାଇଁ ଡିନ୍‌ ମନା କରିବାରୁ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ପ୍ରତିନିଧି ଦଳରେ ଡା. ସୁଜ୍ଞାନେନ୍ଦ୍ର ମିଶ୍ର, ଡା. ଜ୍ୟୋତ୍ସ୍ନାମୟୀ ମହାପାତ୍ର, ଡା. ମଞ୍ଜୁବାଳା ପଣ୍ଡା, ଆଡଭୋକେଟ ଭବାନୀ ଶଙ୍କର ଶତପଥୀ, ଇଂ ବେଲାର ସିଂ ଭୋଇ, ଆକ୍ସନ କମିଟିର ଗୋପାଲଜୀ ପାଣିଗ୍ରାହୀ, ସୁନା ପଟ୍ଟନାୟକ, ବିନୋଦ କାଲସାଏ, ସାଗରିକା ଗୁରୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।