ଆର୍‌ପିଏଫ୍‌ କର୍ମଚାରୀଙ୍କ ସାଧୁତା

ପୁରୀ ଅଫିସ,୧।୩: ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) କର୍ମଚାରୀ ସୁଶାନ୍ତ କୁମାର ବାଗଲା ପୁରୀ ଷ୍ଟେଶନ କୋଚ୍‌ ଯାଞ୍ଚ କରୁଥିବାବେଳେ ଏକ ମୋବାଇଲ ଫୋନ୍‌ ଓ ନଗଦ ୧୧ ହଜାର ଟଙ୍କା ପାଇଥିଲେ। ରବିବାର ସେ ଏହାକୁ ସମ୍ପୃକ୍ତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୨୨ତାରିଖରେ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀ ଷ୍ଟେଶନରେ ଅଟକିବା ପରେ ସୁଶାନ୍ତ ଖାଲି ବଗିକୁ ଯାଞ୍ଚ କରିବା ପାଇଁ ଯାଇଥିଲେ। ବି-୩ର ୩ ନମ୍ବର ଶୀତତାପ ନିୟନ୍ତ୍ରିତ କକ୍ଷରୁ ଏହି ମୋବାଇଲ୍‌ ଓ ଟଙ୍କା ମିଳିଥିଲା। ତେବେ ମୋବାଇଲ କାହାର ଜାଣି ନ ପାରି ସୁଶାନ୍ତ ଏହାକୁ ଆରପିଏଫ୍‌ ପୋଷ୍ଟକୁ ନେଇଆସିଥିଲେ। କିଛି ସମୟ ପରେ ଝାଡ଼ଖଣ୍ଡରୁ ଆନନ୍ଦ ପଟ୍ଟନାୟକ ଫୋନ୍‌ କରି ମୋବାଇଲ ଓ ନଗଦ ରାଶି ନିଜର ବୋଲି ଦାବି କରିଥିଲେ। ନିଜ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଆସି ସେ ଖୋର୍ଦ୍ଧାରୋଡ୍‌ରେ ଓହ୍ଲାଇ ପଡ଼ିଥିବା ଜଣାଇଥିଲେ। ୨୨ ତାରିଖରେ ମୋବାଇଲ ଓ ଟଙ୍କା ମିଳିଥିଲେ ମଧ୍ୟ ସ୍ତ୍ରୀଙ୍କ ଚିକିତ୍ସା କାରଣରୁ ଆନନ୍ଦ ମୋବାଇଲ ନେବାକୁ ପୁରୀ ଆସି ପାରି ନ ଥିଲେ। ରବିବାର ସେ ପୁରୀରେ ପହଞ୍ଚି ଆରପିଏଫ୍‌ ପୋଷ୍ଟରୁ ନିଜ ମୋବାଇଲ ଓ ଟଙ୍କା ନେଇଛନ୍ତି। ଏଥିପାଇଁ ସେ ଆରପିଏଫ୍‌କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି।