Categories: ବାଣିଜ୍ୟ

ପର୍ଯ୍ୟାପ୍ତ ନୁହେଁ ପ୍ରୋତ୍ସାହନ ପ୍ୟାକେଜ

ନୂଆଦିଲ୍ଲୀ, ୨୯।୭:  ଅର୍ଥ ବ୍ୟବସ୍ଥା କରୋନା ମହାମାରୀ ଯୋଗୁ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଗତ ଆର୍ଥତ୍କ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)-୭.୩% ରହିଛି। ଅର୍ଥ ବ୍ୟବସ୍ଥାକୁ ସୁଧାର ପଥରେ ଆଣିବା ଲାଗି ସରକାର ଆତ୍ମ ନିର୍ଭର ଭାରତ ପ୍ୟାଜେକ ଘୋଷଣା କରିଛନ୍ତି। ଏହା ମଧ୍ୟରେ ମୋଟ ୨୯ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ପଦକ୍ଷେପ ସରକାର ହାତକୁ ନେଇଥିବା କହିଛନ୍ତି। ହେଲେ ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ। କ୍ଷତିଗ୍ରସ୍ତ ବଜାରରେ ଚାହିଦା ବଢାଇବା ଲାଗି ସରକାରଙ୍କୁ ଅଧିକ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ଶିଳ୍ପ ସଂକ୍ରାନ୍ତ ସଂସଦୀୟ କମିଟି ବୁଧବାର କହିଛି।
ବଜାରରେ ସୁଧାର ଆଣିବା ଲାଗି ବୃହତ୍ତ ପଦକ୍ଷେପ ନିଆଯାଇଥିବା ସରକାର କହୁଛନ୍ତି। ମାତ୍ର ସଂସଦୀୟ କମିଟିର ଏଭଳି ସ୍ପଷ୍ଟୀକରଣ ସରକାରଙ୍କ କାମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କରୋନା ମହାମାରୀ ଦେଶର କ୍ଷୁଦ୍ର ବାଣିଜ୍ୟଗୁଡିକର ଅଣ୍ଟା ଭାଙ୍ଗି ଦେଇଛି। ଏହି ସ୍ଥିତିକୁ ସୁଧାରିବାର ଆବଶ୍ୟକତାକୁ ଉପଲବ୍ଧି କରିବାକୁ ହେବ ବୋଲି କମିଟି କହିଛି। ରିପୋର୍ଟରେ କହାଯାଇଛି ଯେ, ସରକାର ଯେଉଁ ପଦକ୍ଷେପ ଘୋଷଣା କରିଛନ୍ତି ତାର ଅଧିକାଂଶ ଭାଗ ଋଣ ଆକାରରେ ରହିଛି। ନଗଦ ଯୋଗାଣ ଦ୍ୱାରା ଚାହିଦା ବୃଦ୍ଧିକୁ ଧ୍ୟାନରେ ରଖିବା ପରିବର୍ତ୍ତେ ସରକାର ଦୀର୍ଘମିଆଦି ଯୋଜନା ଉପରେ କାହିଁକି ପଡିଛନ୍ତି। ପ୍ରଥମ ଲହରରେ କ୍ଷତିଗ୍ରସ୍ତ ବଜାର ବ୍ୟବସ୍ଥା ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଥିବା ବେଳେ ଏହା ଉପରେ ଦ୍ୱିତୀୟ ଲହର ମାଡ଼ କରିଛି। ଦେଶର ଅଭିବୃଦ୍ଧି ଇଞ୍ଜିନ ଭାବେ ପରିଗଣିତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପୁଣି ଥରେ ଚାପଗ୍ରସ୍ତ ହୋଇଛି।
ବଜାର ସମସ୍ୟା ସମାଧାନ, ଚାହିଦା ବୃଦ୍ଧି, ନିବେଶ, ରପ୍ତାନି ଏବଂ ନିଯୁକ୍ତି ସୃଷ୍ଟି ସହ ବଜାରର ଅଭିବୃଦ୍ଧିକୁ ଫେରାଇ ଆଣିବା ଲାଗି ସରକାର ଏକ ବୃହତ୍‌ ଅର୍ଥନୈତିକ ପ୍ୟାକେଜ ଆଣନ୍ତୁ ବୋଲି କମିଟି ପକ୍ଷରୁ କୁହାଯାଇଛି। ତୃତୀୟ ଲହରରେ ଏମ୍‌ଏସ୍‌ଏମ୍‌ଇ ଯେଭଳି ପ୍ରଭାବିତ ନ ହେବେ ସେଥି ଲାଗି ପୂର୍ବ ପ୍ରସ୍ତୁତି ସହ ପଦକ୍ଷେପ ଘୋଷଣା, ମହାମାରୀର ପ୍ରକୃତ ପ୍ରଭାବ ନେଇ ସର୍ଭେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଏନ୍‌ପିଏ ସଂଜ୍ଞାର ପୁନର୍ବିଚାର କରିବାକୁ ସରକାରଙ୍କୁ କମିଟି ପ୍ରସ୍ତାବ ଦେଇଛି। ମନ୍ତ୍ରଣାଳୟ ଅଦ୍ୟାବଧି କ୍ଷୁଦ୍ର ଶିଳ୍ପର କ୍ଷତି ସଂକ୍ରାନ୍ତ ସର୍ଭେ କରାଇବାକୁ ସକ୍ଷମ ହୋଇ ନ ଥିବା ଟିଆର୍‌ଏସ୍‌ ସାଂସଦ କେ.କେଶବ ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଏହାର ରିପୋର୍ଟରେ ପ୍ରକାଶ କରିଛି।

Share