ୟୁଜି ନାମଲେଖା ପାଇଁ ସିୟୁଇଟି ସ୍କୋର ବ୍ୟବହାର ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁଜି ଏବଂ ପିଜି ନାମଲେଖା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏକକ ପିଜି ପ୍ରବେଶିକା ପରୀକ୍ଷା(ସିୟୁଇଟି) ଆରମ୍ଭ କରିଛନ୍ତି। ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପରୀକ୍ଷାରୁ ମୁକ୍ତ କରିବା ପାଇଁ ଏବଂ ସମସ୍ତ ପିଲାଙ୍କୁ ସମାନ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି ଏକକ ପ୍ରବେଶିକା ପରୀକ୍ଷା କରାଯାଇଛି। ସିୟୁଇଟି ସ୍କୋର ଅନୁସାରେ ଛାତ୍ରୀଛାତ୍ରଙ୍କ ନାମଲେଖା ହୋଇଥାଏ। ତେବେ ଦେଶର ବିଭିନ୍ନ ରାଜ୍ୟରେ ୟୁଜି ନାମଲେଖା ସମୟରେ ଏହାକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳୁଛି। ଏବେ ବି ବହୁ ରାଜ୍ୟ ସେହି ପୁରୁଣା ଫର୍ମାଟରେ ନାମ ଲେଖାଉଛନ୍ତି। ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ଯୁକ୍ତ୨ ବୋର୍ଡ ମାର୍କଶିଟ୍‌କୁ ବ୍ୟବହାର କରୁଛନ୍ତି କିମ୍ବା ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା କରି ୟୁଜି ନାମଲେଖାଉଛନ୍ତି। ଏହାକୁ ନେଇ ୟୁଜିସି ଉଦ୍‌ବେଗ ପ୍ରକାଶ କରିବା ସହିତ ୟୁଜି ନାମଲେଖା ବେଳେ ସିୟୁଇଟି ସ୍କୋର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ୟୁଜିସି ସେକ୍ରେଟାରି ପ୍ରଫେସର ମନୀଷ ଆର୍‌. ଜୋଷୀ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ(ରାଜ୍ୟ, ଡିମ୍‌ଡ, ଘରୋଇ)ର କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ତାରିଖରେ ହେଉଥିବା ବହୁ ପ୍ରବେଶିକା ପରୀକ୍ଷାରୁ ଛାତ୍ରୀଛାତ୍ରଙ୍କୁ ବଞ୍ଚତ୍ତ କରିବା ଲାଗି ଏବଂ ସମାନ ସୁଯୋଗ ସମସ୍ତ ଛାତ୍ରୀଛାତ୍ରଙ୍କୁ ଦେବା ପାଇଁ ସିୟୁଇଟି ସ୍କୋର ବ୍ୟବହାର କରିବାକୁ ୟୁଜିସି ଚିଠିରେ ଉଲ୍ଲେଖ କରିଛି।
ସୂଚନାଯୋଗ୍ୟ, ନିକଟରେ ଆଲିଗଡ଼ ମୁସ୍‌ଲିମ ୟୁନିଭରସିଟି ଏବଂ ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭରସିଟି ୟୁଜି ନାମଲେଖା ନିମନ୍ତେ ସିୟୁଇଟିକୁ ଗ୍ରହଣ ନ କରି ନିଜସ୍ବ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ୟୁଜିସିର ଗାଇଡ୍‌ଲାଇନର ବିରୁଦ୍ଧାଚରଣ ହେଉଛି। ଏଭଳି ବିଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରଙ୍କ ଅଭିଯୋଗ ଆସିବା ପରେ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଜୁ ଚିଠି ଲେଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ସିୟୁଇଟି ପରୀକ୍ଷା ପରିଚାଳନା କରିବ। ଏନ୍‌ଟିଏ ସିୟୁଇଟି ୟୁଜି ୨୦୨୩ ପଞ୍ଜୀକରଣ ପ୍ରକ୍ରିୟା ଗତ ୯ତାରିଖରୁ ଆରମ୍ଭ କରିସାରିଲାଣି। ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୧୨ତାରିଖରେ ଶେଷ ହେବ। ଛାତ୍ରୀଛାତ୍ରମାନେ ଏନ୍‌ଟିଏର ଅଫିସିଆଲ ୱେବ୍‌ସାଇଟ୍‌ cuet.samarth.ac.in ୱେବ୍‌ସାଇଟ୍‌ରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଏପ୍ରିଲ ୩୦ରେ ଇଣ୍ଟିମେଶନ ସ୍ଲିପ୍‌ ରିଲିଜ୍‌ ହେବ। ତେବେ ମେ’ ୨୧ ରୁ ୩୧ତାରିଖ ମଧ୍ୟରେ ସିୟୁଇଟି ୨୦୨୩ ଅନୁଷ୍ଠିତ ହୋଇପାରେ। ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ଆଧାରରେ ହେବ। ଇଂଲିଶ, ହିନ୍ଦୀ, ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା ହେବ। ଚଳିତବର୍ଷ ଏହି ପ୍ରବେଶିକା ପରୀକ୍ଷା ପାଇଁ ଏନ୍‌ଟିଏ ବହୁ ପରିବର୍ତ୍ତନ କରିଛି। ପୂର୍ବରୁ ଦୁଇଟି ସିଫ୍ଟରେ ଏହି ପରୀକ୍ଷା ହେଉଥିବାବେଳେ ଏଥର ତିନୋଟି ସିଫ୍ଟରେ ହେବ। ସେହିପରି ସେକ୍ସନ ୨ ଓ ୩ରେ ପୂର୍ବରୁ ଯେତିକି ପ୍ରଶ୍ନ ଆଟେମ୍ପ୍‌ଟ କରିବାର ରହିଥିଲା, ତାହାକୁ ଚଳିତବର୍ଷ କମାଇ ଦିଆଯାଇଛି। ଏଥର ବିଷୟକୁ ବଢ଼ାଇଦିଆଯିବା ସହିତ ଆବେଦନ ଫି’ ମଧ୍ୟ ବୃଦ୍ଧି କରାଯାଇଛି।