କ୍ଷୟକ୍ଷତି ଆକଳନ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮।୮(ବ୍ୟୁରୋ):  ଗତ ୫ ଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହୋଇଛି। ତେବେ ୧୦ଟି ଜିଲାରେ ପ୍ରବଳ ବର୍ଷା ହୋଇଛି। ମାଲକାନଗିରି ଜିଲାରେ ସର୍ବାଧିକ ୪୬୩ ମିଲିମିଟର ବର୍ଷା ହୋଇଥିବାବେଳେ ଯାଜପୁରରେ ୨୬୩, ଢେଙ୍କାନାଳରେ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମାଲକାନଗିରି ଜିଲାର ୬ଟି ବ୍ଲକରେ ୬୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କୋରକୁଣ୍ଡା ବ୍ଲକରେ ୬୧୦, ଚିତ୍ରକୋଣ୍ଡାରେ ୫୪୬, କାଲିମେଳାରେ ୪୪୧, ମାଥିଲିରେ ୪୪୭, ଖଇରପୁଟରେ ୪୩୫ ଏବଂ ପଡ଼ିଆ ବ୍ଲକରେ ୪୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି କଟକ ଜଲାର ବାଙ୍କି ଡମପଡାରେ ୩୯୫ ମିଲିମିଟର, ଆଠଗଡ଼ରେ ୩୪୮, ଢେଙ୍କାନାଳ ଭୁବନରେ ୩୧୨, ଯାଜପୁର ବିଞ୍ଝାରପୁରରେ ୩୫୩, ଧର୍ମଶାଳାରେ ୩୨୫, ଯାଜପୁର ବ୍ଲକରେ ୩୧୫ ମିଲିମିଟର ଏବଂ କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ୩୭୧ ମିଲିମିଟର ବର୍ଷା ହୋଇଛି। ସୋମବାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା କରିବା ପରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।
କ୍ଷୟକ୍ଷତି ନେଇ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ୧୦ଟି ଜିଲାର ଜିଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଥିଲେ। ୫ ଦିନ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ଫ୍ଲାସଫ୍ଲଡ ହୋଇଛି। କାଲିମେଳା ସହିତ ଯୋଗାଯୋଗ ବିଚ୍ଛିନ୍ନ ଥିଲା। ତେବେ ଅନ୍ୟାନ୍ୟ ଅଞ୍ଚଳରେ ଜୀବନଯାପନ ସ୍ବାଭାବିକ ରହିଛି। ମାଲକାନଗିରି ଜିଲାରେ କେଉଁଠି ଜୀବନ ହାନି ହୋଇ ନ ଥିବା ଜଣାପଡ଼ିଛି। ଜିଲାର ୨୭୧ ହେକ୍ଟର ଜମିରେ ପାଣି ବୁଡ଼ି ରହିଛି। ଢେଙ୍କାନାଳର ଭୁବନ ବ୍ଲକର ଭୁବନ ଓ କାମାକ୍ଷାନଗର ମଧ୍ୟରେ ଗମନାଗମନ ବାଧ୍ୟାପ୍ରାପ୍ତ ହୋଇଥିଲା। ଭୁବନ ଓ ଗଁଦିଆ ବ୍ଲକର ୩ଟି ପଞ୍ଚାୟତରେ ପାଣି ଜମି ରହିଥିଲା। ବରଗଡ଼ ଜିଲାର ପଦ୍ମପୁର ବ୍ଲକରେ କିଛି ସମୟ ପାଇଁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ବନ୍ୟା ଯୋଗୁ ଜୀବନ ହାନି ହୋଇନାହିଁ। ବଲାଙ୍ଗୀର ଜିଲାର ପାଟଣାଗଡ଼ର ଗୋଟିଏ ପରିବାରର ୪ ଜଣ ନିଜର ନୂଆ ଘର ଛାଡି ପୁରୁଣା ଘରକୁ ଯାଇଥିଲେ। ସେଠାରେ ସେମାନେ ରହି ଯାଇଥିଲେ। ସେଠାରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଥମେ କୁହାଯାଇଥିଲା। ମାତ୍ର ୨ଜଣ ନୁହେଁ ବରଂ ଜଣକର ପ୍ରାଣହାନି ହୋଇଥିବା ବଲାଙ୍ଗୀର ଜିଲାପାଳ ଏନେଇ ସ୍ପଷ୍ଟ କରିଥିବା ଏସ୍‌ଆର୍‌ସି କହିଛନ୍ତି। ଢେଙ୍କାନାଳ ଜିଲାରେ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ୨୦୦ କଚାଘର ରାଜ୍ୟରେ କ୍ଷତି ହୋଇଥିବା ବେଳେ ଗୋଟିଏ ଘର ସମ୍ପୂଣ୍ଣର୍ର୍ କ୍ଷତି ହୋଇଛି। ଜିଲାପାଳମାନଙ୍କୁ କ୍ଷୟକ୍ଷତି ଆକଳନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତହସିଲଦାରମାନେ ଘର ଭଙ୍ଗା ଓ ଶସ୍ୟ କ୍ଷୟକ୍ଷତି ଆକଳନ କରିବା ଆରମ୍ଭ କରିଛନ୍ତି ବୋଲି ଏସଆରସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।