ଶ୍ରମିକ ବଦଳରେ ମେଶିନରେ ହେଉଛି କାମ

ଗୋଲାମୁଣ୍ଡା,୧୯।୧୨(ଡି.ଏନ.ଏ.):ଶ୍ରମିକମାନେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନ ନିର୍ମାଣ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରା ନ ଯାଇ ମେଶିନ ସାହାଯ୍ୟରେ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶ୍ରମିକମାନେ କାମଧନ୍ଦା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚୟତ ଅନ୍ତର୍ଗତ ଶ୍ରୀରାମ ପଡ଼ାଠାରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ନିର୍ମାଣ କାର୍ଯ୍ୟରେ ମାଟିଖୋଳା ମେଶିନ ସାହାଯ୍ୟରେ କରାଯାଉଥିବା ଦେଖିବାକୁ ମିଳୁଛି। ପ୍ରାପ୍ତ ସୂଚନାନୁସାରେ ଆର୍ଥିକ ବର୍ଷ ୨୨-୨୩ କାର୍ଯ୍ୟର ନାମ ଗଣ୍ଡାମେରଠାରେ ଗ୍ରାମୀଣ ଉଦ୍ୟାନ ନିର୍ମାଣ ଫେଜ ନଂ.୧ ଅଟକଳ ପରିମାଣ ୧୦ ଲକ୍ଷ, ଗଣ୍ଡାମେର ଖେଳ ପଡ଼ିଆର ଉନ୍ନତି ସାଧନ ବାବଦକୁ ଅଟକଳ ପରିମାଣ ୫ ଲକ୍ଷ କାର୍ଯ୍ୟ ହେଉଥିବା ସୂଚନା ଫଳକରୁ ଜଣାପଡ଼ିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ ମାଧ୍ୟମରେ ସ୍ଥାନୀୟ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ୩୨୬ ଟଙ୍କା ହିସାବରେ ନିଯୁକ୍ତି କରି କାର୍ଯ୍ୟ ସମ୍ପାଦନ କରିବା ନିୟମ ରହିଛି। ହେଲେ ଏହି ଗ୍ରାମ ପଞ୍ଚାୟତରେ ଓଲଟା ଶ୍ରମିକ ବଦଳରେ ମେଶିନ କାମ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଜନପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀମାନେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଜଣାପଡିଛି। ଏ ନେଇ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରେଙ୍ଗୋ ନାଏକଙ୍କୁ ପଚାରିବାରୁ ଘଟଣାକୁ ସ୍ବୀକାର କରିବା ସହ ଠିକାଦାରଙ୍କୁ ତାଗିତ କରିଥିବା ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।