Categories: ଜାତୀୟ

ଛାତ୍ରୀନିବାସ ଲାଗି ଦାନ କଲେ ଯୌତୁକ ଟଙ୍କା

ଜୟପୁର,୨୫।୧୧: ଶିଶୁ କନ୍ୟାଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନର ଜଣେ କନ୍ୟା ଯୌତୁକ ବାବଦକୁ ଦିଆଯିବାକୁ ଥିବା ଟଙ୍କାରେ ଝିଅମାନଙ୍କ ଲାଗି ଏକ ହଷ୍ଟେଲ ନିର୍ମାଣ କରିବାକୁ ଅନୁରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। କିଶୋର ସିଂ କାନୋଦଙ୍କ ଝିଅ ଅଞ୍ଜଳୀ କାନଓ୍ବାର ବାରମେର ସହରରେ ଗତ ୨୧ ତାରିଖରେ ପ୍ରବୀଣ ସିଂଙ୍କୁ ବିବାହ କରିଥିଲେ।

ଦୈନିକ ଭାସ୍କରରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବିବାହ ପୂର୍ବରୁ ଅଞ୍ଜଳୀ ତାଙ୍କ ବାପାଙ୍କୁ ନିଜ ଇଚ୍ଛା ସମ୍ପର୍କରେ ଜଣାଇଥିଲେ। ତାଙ୍କ ଯୌତୁକ ଲାଗି ରଖାଯାଇଥିବା ୭୫ ଲକ୍ଷ ଟଙ୍କାରେ ଏକ ବାଳିକା ଆବାସ ନିର୍ମାଣ କରିବାକୁ ସେ ଅନୁରୋଧ କରିଥିଲେ। ଏଥିରେ କନ୍ୟାଙ୍କ ବାପା କିଶୋର ସିଂ କାନୋଦ ରାଜି ହେବା ସହ ଝିଅର ଇଚ୍ଛା ପୂରଣ କରିବା ପାଇଁ ୭୫ ଲକ୍ଷ ଟଙ୍କା ଦାନ କରି ଦେଇଥିଲେ।

କନ୍ୟାଙ୍କ ଏଭଳି କାର୍ଯ୍ୟକୁ ତାରାତାରା ମଠର ମୁଖ୍ୟ ମହନ୍ତ ପ୍ରତାପ ପୁରୀ ପ୍ରଶଂସା କରି କହିଛନ୍ତି, ସମାଜର ଉନ୍ନତି ପାଇଁ ଟଙ୍କା ଖର୍ଚ୍ଚ କରିବା ଓ କନ୍ୟାଦାନ ସମୟରେ ଝିଅମାନଙ୍କ ଶିକ୍ଷା କଥା ଚିନ୍ତା କରିବା ଏକ ମହତ କାର୍ଯ୍ୟ। ଏନ୍‌ଏଚ୍‌୬୮ ଠାରେ ହଷ୍ଟେଲ ନିର୍ମାଣ ପାଇଁ କନ୍ୟାଙ୍କ ବାପା ପୂର୍ବରୁ ୧ କୋଟି ଟଙ୍କା ଦାନ କରିଥିଲେ। କିନ୍ତୁ ଏହାର ନିର୍ମାଣ ଶେଷ କରିବା ଲାଗି ଆହୁରି ୫୦ରୁ ୭୫ ଲକ୍ଷ ଟଙ୍କା ଦରକାର ଥିଲା। ଆବଶ୍ୟକୀୟ ଟଙ୍କା ଉପଲବ୍ଧ କରାଇବା ପାଇଁ ତାଙ୍କ ଝିଅକୁ ଧନ୍ୟବାଦ୍‌।

Share