ନୂଆଦିଲ୍ଲୀ,୧୩।୧୧: ଅଣ୍ଡର-୧୯ ଏସିଆ କପ୍ ୨୦୨୬ରେ ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ବ୍ୟାଟିଂକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବୋଲିଂରେ ମଧ୍ୟ ଜଣେ ୧୭ ବର୍ଷୀୟ ଦ୍ରୁତ ବୋଲର ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ସେ ହେଉଛନ୍ତି ଇଶାନ ସୁଦ୍। ନିଜର ଦ୍ରୁତ ଗତି ଓ ସଠିକ୍ ଲାଇନ୍-ଲେନ୍ଥ ବଳରେ ସେ ବିପକ୍ଷ ବ୍ୟାଟରଙ୍କୁ ଅସୁବିଧାରେ ପକାଉଛନ୍ତି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । ଚାରିଟି ମ୍ୟାଚ୍ରୁ ତାଙ୍କ ଖାତାରେ ରହିଛି ୧୧ଟି ୱିକେଟ୍ ।
ସେମିଫାଇନାଲ୍ରେ ଆଫଗାନିସ୍ତାନ ବ୍ୟାଟରଙ୍କୁ ଖୋଲାଖୋଲି ଖେଳିବାର ସୁଯୋଗ ଦେଇନଥିଲେ ଇଶାନ । ପ୍ରଥମେ ସେ ଓପନର ଅବିଦୁଲ୍ଲା ନଦରାଜନଙ୍କୁ ୧୪ ରନ୍ରେ ଆଉଟ୍ କରିଥିଲେ । ପରେ ଭଲ ବ୍ୟାଟିଂ କରୁଥିବା ଶାହ ଫୈସଲ ରହିମିଙ୍କୁ ବୋଲ୍ଡ କରି ଭାରତକୁ ବଡ଼ ସଫଳତା ଦେଇଥିଲେ । ରହିମି ୫୧ ରନ୍ କରିଥିଲେ। ଶେଷରେ ମହମ୍ମଦ ଅଲିଙ୍କୁ ୮ ରନ୍ରେ ବୋଲ୍ଡ କରି ଇଶାନ ନିଜର ତୃତୀୟ ୱିକେଟ୍ ହାସଲ କରିଥିଲେ।
ପୂରା ଟୁର୍ଣ୍ଣାମେଣ୍ଟରେ ଇଶାନଙ୍କ ପ୍ରଦର୍ଶନ ଲଗାତାର ଭଲ ରହିଛି। ନେପାଳ ବିପକ୍ଷ ପ୍ରଥମ ମ୍ୟାଚ୍ରେ ୧୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ପାକିସ୍ତାନ ବିପକ୍ଷରେ ତାଙ୍କୁ ଗୋଟିଏ ୱିକେଟ୍ ମିଳିଥିବା ବେଳେ ୟୁଏଇ ବିପକ୍ଷରେ ୩୭ ରନ୍ ଦେଇ ୪ ଜଣ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ୩ଟି ୱିକେଟ୍ ନେଇ ସେ ନିଜର ଭଲ ଫର୍ମ ଜାରି ରଖିଛନ୍ତି । ଭାରତ ଖେଳିଥିବା ଚାରିଟି ମ୍ୟାଚ୍ ମଧ୍ୟରୁ ତିନୋଟିରେ ସେ ଦଳର ସଫଳତମ ବୋଲର ରହିଛନ୍ତି।
ଇଶାନଙ୍କ ସଫଳତା ପଛରେ ରହିଛି ପରିବାରର ବଡ଼ ତ୍ୟାଗ ଓ ବର୍ଷ ବର୍ଷର ପରିଶ୍ରମ । ଚଣ୍ଡିଗଡ଼ର ବାସିନ୍ଦା ଇଶାନଙ୍କ ଉଚ୍ଚତା ୬ ଫୁଟ୍ ୪ ଇଞ୍ଚ । ଅଷ୍ଟ୍ରେଲିଆର ମହାନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରା ତାଙ୍କ ପ୍ରିୟ ବୋଲର । ତାଙ୍କ ବାପା ଧୀରଜ ସୁଦ୍ ହିଁ ତାଙ୍କୁ କ୍ରିକେଟ୍ର ପ୍ରାରମ୍ଭିକ ପ୍ରଶିକ୍ଷଣ ଦେଇଥିଲେ।
ଇଶାନଙ୍କ ବଡ଼ ଭାଇ ମଧ୍ୟ କ୍ରିକେଟ୍ ଖେଳୁଥିଲେ। କିନ୍ତୁ ଆଘାତ କାରଣରୁ ତାଙ୍କ କ୍ରିକେଟ୍ କ୍ୟାରିୟର ଆଗକୁ ବଢ଼ିପାରିନଥିଲା। ଏହାପରେ ବାପା ଧୀରଜ ସାନ ପୁଅର କ୍ରିକେଟ୍ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ। ଇଶାନଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ପ୍ରଶିକ୍ଷଣରେ କୌଣସି ଅଭାବ ନ ରହିବା ପାଇଁ ବାପା ନିଜର ଗାର୍ମେଣ୍ଟ ଶୋ’ରୁମ୍ ମଧ୍ୟ ବିକ୍ରି କରିଦେଇଥିଲେ।