ଡିଏସ୍‌ପି ଝିଅଙ୍କୁ ଇନ୍ସପେକ୍ଟର ବାପାଙ୍କ ସାଲ୍ୟୁଟ୍‌

ତିରୁପତି, ୫ା୧: ପୋଲିସର ଏକ ବୈଠକରେ ନିଜ ଡିଏସ୍‌ପି ଝିଅକୁ ଦେଖି ସଙ୍ଗେ ସଙ୍ଗେ ଛିଡ଼ା ହୋଇଯାଇଥିଲେ ଇନ୍ସପେକ୍ଟର ବାପା। ଉଚ୍ଚ ର଼୍ୟାଙ୍କ ଅଧିକାରୀ ହୋଇଥିବାରୁ ତାଙ୍କୁ ସମସ୍ତଙ୍କ ଉପସ୍ଥିତିରେ ମାଡାମ୍‌ ସମ୍ବୋଧିତ କରିବା ସହ ପ୍ରୋଟକଲ ଅନୁସାରେ ସାଲ୍ୟୁଟ ମାରିବା ଦୃଶ୍ୟ ହୃଦୟସ୍ପର୍ଶୀ ହୋଇଛି। ନିଜ ଝିଅ ହେବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶର ତିରୁପତି ସର୍କଲ ପୋଲିସ ଶ୍ୟାମ ସୁନ୍ଦର ତାଙ୍କୁ ବୃତ୍ତିଗତ ଢଙ୍ଗରେ ଅଭିବାଦନ ଜଣାଇବା ଗର୍ବର କଥା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଡିଏସ୍‌ପି ଜେସି ପ୍ରଶାନ୍ତି ବାପାଙ୍କ ଅଭିବାଦନରେ ପ୍ରତିକ୍ରିୟା ରଖି ‘ଏହା କ’ଣ କରୁଛ ବାପା’ ବୋଲି ତେଲୁଗୁରେ କହିଥିଲେ। ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀମାନେ ଏଭଳି ବିରଳ ମୁହୂର୍ତ୍ତକୁ ଉପଭୋଗ କରିଥିଲେ। ପିଲାମାନେ ଜୀବନରେ ସଫଳତା ହାସଲ କରିବାଠାରୁ ବଡ଼ ଖୁସି ଆଉ କିଛି ନାହିଁ ବୋଲି ଶ୍ୟାମସୁନ୍ଦର କହିଛନ୍ତି। ଉଭୟ ବାପା ଏବଂ ଝିଅ ପୋଲିସ ୟୁନିଫର୍ମରେ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରିବା ବେଶ ଗର୍ବର କଥା ବୋଲି ତିରୁପତି ଏସ୍‌ପି ରମେଶ ରେଡ୍ଡୀ ପ୍ରକାଶ କରିଛନ୍ତି।

Share