ଆଜିଠୁ ଯାଞ୍ଚ କଡାକଡ଼ି

ସୋନପୁର,୫।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସଡକ ଦୁର୍ଘଟଣା ହ୍ରାସ ପାଇଁ ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ପୋଲିସ ନିରନ୍ତର ଉଦ୍ୟମ ଜାରି ରଖିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅଧିକରୁ ଅଧିକ ବାଇକ୍‌ ଆରୋହୀ କିଭଳି ହେଲମେଟ ପିନ୍ଧିବେ ଓ ଟ୍ରାଫିକ୍‌ ନିୟମ ମାନିବେ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ତେବେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରା ଯାଉଥିବା ଆର୍‌ଟିଓ ରବିନ ପଟ୍ଟନାୟକ ସୂଚନା ଦେଇଥିଲେ।

ନିୟମ ମାନୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଗତ ଜାନୁୟାରୀ ମାସରେ ମହାନଦୀ ସେତୁ ଉପରେ ଦୁର୍ଘଟଣା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ସହର ଉପକଣ୍ଠ ଝିଙ୍କି ନିକଟରେ ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଜିଲାରେ ଜାନୁୟାରୀରେ ୧୪ଟି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫେବୃୟାରୀରେ ୧୪ଟି ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି । ପଞ୍ଚାୟତ ନିର୍ବାଚନ ସକାଶେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରା ଯାଇପାରି ନାହିଁ। ତେଣୁ ଦୁର୍ଘଟଣା ବୃଦ୍ଧି ପାଇଛି। ୫ ତାରିଖ ଶନିବାରଠାରୁ ଯାଞ୍ଚ କଡାକଡି କରାଯିବ । ଦ୍ରୁତ ଗତିରେ ଡ୍ରାଇଭିଂ, ଚାରି ଚକିଆ ଯାନରେ ସିଟ୍‌ ବେଲ୍ଟ ନ ବାନ୍ଧିବା, ହେଲମେଟ୍‌ ପରିଧାନ ନ କରି ବାଇକ୍‌ ଚଳାଇବା, ବାଇକରେ ତିନି ଜଣ ବସି ଯାତାୟତ କରିବା, ମଦ୍ୟପାନ କରି ଡ୍ରାଇଭିଂ କରିବା, ଜିନିଷ ପରିବହନ ଗାଡିରେ ଲୋକ ବୁହା ହେବା ଓ ଡ୍ରାଇଭିଂ ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମାମଲା ରୁଜୁ କରି ଯାନବାହାନ ଜବତ ସହିତ ଆବଶ୍ୟକ ସ୍ଥଳେ ଆଇନ ଉଲ୍ଲଂଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଡିଏସପି କୁମାରୀ ଜିସା, ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ, ଏଆରଟିଓ ଶିବାଶିଷ ସାହୁ, କମିଟି ସଭ୍ୟ ମୃତ୍ୟୁଞ୍ଜୟ ଶତପଥୀ, ଅନଙ୍ଗ ନେଗୀ ଓ ଜୁନିୟର ଏମ୍‌ଭିଆଇ ଲୋକନାଥ ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।