Categories: ଜାତୀୟ

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ଭାଗିର…

ମୁମ୍ବାଇ,୨୩।୧ : ଆଇଏନଏସ ଭାଗିରକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ପ୍ରୋଜେକ୍ଟ ୭୫ ଅନ୍ତର୍ଗତ କଲଭାରି ଶ୍ରେଣୀର ଏହା ହେଉଛି ପଞ୍ଚମ ବୁଡ଼ାଜାହାଜ। ମୁମ୍ବାଇର ନାଭାଲ ଡକୟାର୍ଡରେ ନୌସନା ମୁଖ୍ୟ ଆଡମିରାଲ ଆର ହରି କୁମାରଙ୍କ ଉପସ୍ଥିତିରେ ଆଇଏନଏସ ଭାଗିରକୁ ନୌସେନାରେ ସାମିଲ କରାଯାଇଛି। ଏହାଦ୍ୱାରା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି।

ଏହି ବୁଡ଼ାଜାହାଜ ସମ୍ପୂୂର୍ଣ୍ଣ ଭାବେ ଭାରତରେ ନିର୍ମିତ ହୋଇଛି। ଏହା ଫ୍ରାନ୍ସର କମ୍ପାନୀ ନେଭଲ ଗ୍ରୁପ୍‌ ଏବଂ ମୁମ୍ବାଇର ମାଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ମିଳିତ ଭାବରେ ନିର୍ମିତ ହୋଇଛି।

ଏହାପୂର୍ବରୁ ଚାରିଟି ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ନଭେମ୍ବର ୨୦୨୨ରେ ମାଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଏହି ପଞ୍ଚମ ବୁଡ଼ାଜାହାଜକୁ ନୌସେନାକୁ ହସ୍ତାନ୍ତର କରିଥିଲା। କମାଣ୍ଡିଂ ଅଫିସର କମାଣ୍ଡର ଦୀପକ ଏସ କହିଛନ୍ତି, ନୌସେନା ଏବଂ ଦେଶର ସୁରକ୍ଷା ଏବଂ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ବୁଡ଼ାଜାହାଜ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଆତ୍ମନିର୍ଭରଶୀଳ ଭାରତ ହେବା ଦିଗରେ ଏକ ବଡ ପଦକ୍ଷେପ ବୋଲି ବିବେଚନା କରାଯାଇପାରେ।

ଆଇଏନଏସ ଭାଗିରର ଲମ୍ବ ୬୭ ମିଟର ଏବଂ ଉଚ୍ଚତା ୨୧ ମିଟର। ପାଣି ଉପରେ ଏହାବେଗ ଘଣ୍ଟାପ୍ରତି ୨୦ କିଲୋମିଟର ଥିବାବେଳେ ପାଣି ଭିତରେ ୪୦ କିଲୋମିଟରେ ବେଗରେ ଗତି କରିବାର କ୍ଷମତା ଅଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୫୦ରୁ ଅଧିକ ନାବିକ ଏବଂ ନୌସେନା ଅଧିକାରୀ ବୁଡ଼ାଜାହାଜରେ ଅପରେଶନ କରିପାରିବେ। ଏହା ସହିତ ୧୬ ଟି ଟର୍ପେଡୋ, ମାଇନ୍ସ, କ୍ଷେପଣାସ୍ତ୍ର ସହିତ ସଜ୍ଜିତ ।

ଏପର୍ଯ୍ୟନ୍ତ ସମସ୍ତ ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ମଧ୍ୟରେ ଏହାର ନିର୍ମାଣ କମ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି। ଏହାର ସମୁଦ୍ର ପରୀକ୍ଷଣ ଆରମ୍ଭ ପ୍ରଥମେ ୨୨ଫେବୃଆରୀରେ ହୋଇଥିଲା। ଏହି ସମୟରେ, ଏହା କଠିନ ଏବଂ ଚ୍ୟାଲେଞ୍ଜିଂ ସମୁଦ୍ର ପରୀକ୍ଷଣ ଦେଇ ଏହା ଗତି କରିଥିଲା।

Share