ରାସ୍ତା ମରାମତି ଦାବିରେ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ରାସ୍ତାରେ ପାଣି ସିଞ୍ଚନ କଲେ ମହିଳା, ପୁରୁଷ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୋଇଡା ଓ ଲହୁଣୀପଡା ବ୍ଳକ ଅଧିନରେ ଥିବା ଲୁହାପଥର ଖଣି ଗୁଡିକରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ ସରକାରୀ ତହବିଲକୁ ଯାଉଥିବା ବେଳେ ଉକ୍ତ ଅଞ୍ଚଳରେ ମୌଳିକ ଅଧିକାର ଯୋଗାଇଦେବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଫଳରେ ଜନସାଧାରଣ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ପରିଲକ୍ଷିତ ହେଉଛି । କଲେଇପୋଷରୁ ବରସୁଆଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାର ଦୂରତା ମାତ୍ର ୧୯.୦୦ କିମି । ବିଗତ ଦୁଇ ବର୍ଷ ପୂର୍ବେ ଦଲମକୁଚାରୁ ବରସୁଆଁ ୧୪ କି.ମି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ କଲେଇପୋଷରୁ ଦଲମକୁଚା ପର୍ଯ୍ୟନ୍ତ ୫ କି.ମି ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ତେଣୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଛି । ଦୈନିକ ଶହ ଶହ ଟ୍ରକ ଲୁହାପଥର ବୋଝେଇ କରି ଭାରିଯାନ ଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନକୁ ଉକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି । କିଛି ଦିନ ପୂର୍ବେ ବିଭାଗୀୟ ଅଧିକାରୀ କାରଖାନାରୁ ନିର୍ଗତ ସ୍ଲାଗ ପକାଇବାରୁ ରାସ୍ତାରେ ଯାତାୟତ ସମ୍ଭବପର ହୋଇଥିଲା । କିନ୍ତୁ କିଛି ଦିନ ପରେ ତାହା ଗୁଣ୍ଡରେ ପରିଣତ ହେବାରୁ ରାସ୍ତାରେ ପ୍ରବଳ ଧୂଳି ଉଡିଥିଲା । ରାସ୍ତା ପୂର୍ବ ଅବସ୍ଥାକୁ ଫେରି ଆସିଥିଲା । ଯଦ୍ୱାରା ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ପାଲଟିବା ସହିତ ଯାତ୍ରୀବାହୀ ବସ, ଅଟୋ, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା ଆଦି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ପରିଲକ୍ଷିତ ହେଉଛି । ଫଳରେ ବିଲେଇପଡା ଗ୍ରାମ୍ୟ ରାସ୍ତା ଦେଇ ଗାଡି ଯାତାୟତ କରୁଥିବା ଦେଖିବାକୁ ମିଳିଛି । ରାସ୍ତାର ଉଭୟ ପାର୍ଶ୍ୱରେ ବାସୁବାହାଲ ଗ୍ରାମ୍ୟ ଜନବସତି ଗଢ଼ି ଉଠିଥିବା ବେଳେ ବାଡିରେ ଚାଷ କରିଥିବା ପନିପରିବା, ରୋଷେଇ ଘର, ଗ୍ରାମ୍ୟ ପୋଖରୀରେ ଧୂଳିର ଆସ୍ତରଣ ଯୋଗୁଁ ଯକ୍ଷ୍ମା, ଆଜ୍ଜା, ଶ୍ୱାସ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ନଜିର ରହିଛି । ଏହାର ସ୍ଥାୟୀ ପ୍ରତିକାର ନେଇ ସ୍ଥାନୀୟ ବାସିନ୍ଦାମାନେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସମେତ ବଣାଇ ଉପ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ରାସ୍ତା ମରାମତି ହେବା ପର୍ଯ୍ୟନ୍ତ ନିୟମିତ ପାଣି ସିଞ୍ଚନ କରିବା ପାଇଁ ଦାବି କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗୁରୁବାର ବାଧ୍ୟହୋଇ ସ୍ଥାନୀୟ ଲୋକମାନେ ଅଭିନବ ଉପାୟରେ ପ୍ରତିବାଦ କରିବା ସହିତ ନିଜେ ଖାଲଗୁଡିକରେ ପଥର ପକାଇ ମରାମତି କରିବା ସହିତ ପାଣି ବୋହି ରାସ୍ତାରେ ପାଣି ପକାଇଥିବା ଦେଖିବାକୁ ମିଳିଥିଲା ।