ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଯୁବଗୋଷ୍ଠୀ ଅଭିନବ ଉପାୟରେ ଏହି ଛୋଟ ବଡ଼ ଦୁର୍ଘଟଣା ରୋକିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଗୋ’ ମାତା ସୁରକ୍ଷାକାରୀ ବଜରଙ୍ଗ ଦଳର ଯୁବଗୋଷ୍ଠୀ ଗଞ୍ଜାମ ସହରରେ ବୁଲୁଥିବା ଗୋରୁଙ୍କ ବେକରେ ରେଡିଅମ ରିଙ୍ଗ ବେଲ୍ଟ ବାନ୍ଧି ଛାଡୁଥିବା ଦେଖିବାକୁ ମିଳିଛି। ଅନ୍ଧାର ରାସ୍ତାରେ ବୁଲୁଥିବା କିମା ଶୋଇଥିବା ଗୋରୁଙ୍କ ବେକରେ ବନ୍ଧାଯାଇଥିବା ରେଡିଅମ ବେଲ୍ଟ ଉପରେ ଗାଡ଼ି ଆଲୋକ ପଡ଼ିଲେ ଚିକମିକ ଦେଖାଯିବ। ଫଳରେ ଦୁର୍ଘଟଣାରୁ ବାଇକ ଆରୋହୀ ବଞ୍ଚିବା ସହ ଧନଜୀବନ ନଷ୍ଟ ହେବନାହିଁ ବୋଲି ସହରର ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ଏବଂ ବଜରଙ୍ଗ ଦଳ ଯୁବଗୋଷ୍ଠୀଙ୍କୁ ଗଣମାଧ୍ୟମ ଜରିଆରେ ସାଧୁବାଦ ଜଣେଇଛନ୍ତି। ବଜରଙ୍ଗ ଦଳ ସଂଯୋଜକ କେ. ଇଲେୟା ରେଡ୍ଡୀ, କାଳିଆ ଗୌଡ଼, ମନୋଜ ପ୍ରଧାନ, ଦେବାଶିଷ ପଲେଇଙ୍କ ସମେତ ପଶୁ ଚିକିତ୍ସକ ସମସ୍ତ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।