Categories: ଖେଳ

ଉସମାନଙ୍କ ସହ ସଚିନଙ୍କ ଭଳି ଅନ୍ୟାୟ: ଦ୍ୱିଶତକ ମାରିବା ପୂର୍ବରୁ ଇନିଂସ ଘୋଷଣା କରିଦେଲେ ଅଧିନାୟକ

ସିଡନୀ,୭।୧: କ୍ରିକେଟ ଇତିହାସରେ ୨୦୦୪ ଘଟଣାର ପୁନରାବୃତ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିୟ ଖେଳାଳି ଉସମାନ ଖ୍ବାଜାଙ୍କ ଅନ୍ୟାୟ କରାଯାଇଛି। ସେ ୧୯୫ ରନ୍‌ରେ ଅପରାଜିତ ଥିଲେ ହେଁ ନିଜର ଦ୍ୱିଶତକ ପୂରଣ କରିପାରିବାରୁ ବଞ୍ଚିତ ହୋଇଛନ୍ତି। କାରଣ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଇନିଂସ ଘୋଷଣା କରିଦେଇଥିଲେ। ପୂର୍ବରୁ ଏଭଳି ଘଟଣା ୨୦୦୪ରେ ସଚିନ ତେନ୍ଦୁଲକରଙ୍କ ସହ ଘଟିଥିଲା। ଏଣୁ ଏବେ ଉସମାନଙ୍କ ଲାଗି ପ୍ରଶଂସକମାନେ ସହାନୁଭୂତି ଜ୍ଞାପନ କରୁଛନ୍ତି।

୨୦୦୪ ମାର୍ଚ୍ଚ ୨୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସଚିନ ୧୯୪ ରନ୍‌ କରି ଅପରାଜିତ ରହିଥିଲେ। ସେତେବେଳେ ଉକ୍ତ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ଇନିଂସ ଘୋଷଣା କରିଦେଇଥିଲେ। ଏଭଳି ଭାବେ ସେ ଦ୍ୱିଶତକ ମାରିବାରୁ ମାତ୍ର ୬ ରନ୍‌ ପଛରେ ରହିଯାଇଥିଲେ। ଏବେ ସେଭଳି ଅନ୍ୟାୟ ଉସମାନଙ୍କ ସହ ସିଡନୀ ମଇଦାନରେ ହୋଇଛି।

କହିରଖୁଛୁ, ସିଡନୀ ଟେଷ୍ଟକୁ ବର୍ଷା ପ୍ରଭାବିତ କରିଥିଲା। ଏଥିଲାଗି ଦୁଇ ଦିନ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିୟ ଟିମ୍‌ ନିଜର ପ୍ରଥମ ଇନିଂସର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ଉଇକେଟରେ ୪୭୫ ରନ୍‌ କରିଥିଲେ। ଉସମାନ ୧୯୫ ରନ୍‌ରେ ଅପରାଜିତ ଥିଲେ। ତୃତୀୟ ଦିନ ମ୍ୟାଚ୍‌ ହୋଇପାରି ନ ଥିବା ବେଳେ ଚତୁର୍ଥ ଦିନ ଉସମାନ ନିଜର ଦ୍ୱିତଶତ ପୂରଣ କରିବେ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ଅଧିନାୟକ କମିନ୍ସ ୪୭୫ ରନ୍‌ରେ ଇନିଂସ ଘୋଷଣା କରିଦେଇଥିଲେ। ଏଭଳି ଭାବେ ଉସମାନଙ୍କୁ ଖେଳିବାର ସୁଯୋଗ ମିଳି ନ ଥିଲା।

Share