ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲା ଆହତ ହାତୀର ଜୀବନ

କେନ୍ଦୁଝର, ୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ବ୍ରାହ୍ମଣୀପାଳ ରେଞ୍ଜ ଶଗଡ଼ପଟା-ଟାଙ୍ଗିରିଆପାଳ ଷ୍ଟେଶନ ପାଖ ବାଲିଦାଣ୍ଡ ସାହି ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ରବିବାର ଜଙ୍ଗଲରେ ପୋତି ଦିଆଯାଇଛି। ମୃତ ହାତୀର ବୟସ ୮ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଯେ, ଜୁଲାଇ ୧୧ ତାରିଖ ରାତି ପ୍ରାୟ ସାଢେ ୯ଟା ବେଳେ ଛୁଆ ହାତୀଟି ହାତୀପଲ ସହ ରେଳ ଲାଇନ ପାର ହେଉଥିଲା। ଯଖପୁରା ପଟୁ ବାଂଶପାଣି ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ ହାତୀପଲକୁ ଧକ୍କା ଦେଇଥିଲା। ଟ୍ରେନ୍‌ ଧକ୍କାରେ ୨ ମାଈ ହାତୀ ମୃତ୍ୟୁବରଣ କରିଥିଲେ। ଦୁର୍ଘଟଣା ପରେ ଛୁଆ ହାତୀ ଆହତ ହୋଇ ରେବଣା ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିଲା। ଡିଏଫ୍‌ଓ ଅଭୟ କୁମାର ଦଳେଇ କହିଛନ୍ତି, ଆହତ ହାତୀଟି ଦୈତାରୀ ଜଙ୍ଗଲରେ ରହୁଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ଉକ୍ତ ଜଙ୍ଗଲରେ ପାଖାପାଖି ୭ ହାତୀ ରହୁଛନ୍ତି। ହାତୀ ସୁରକ୍ଷା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏସିଏଫ୍‌ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି, ଘଟଣାରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ରେଳ ବିଭାଗର ଲୋକୋ ପାଇଲଟ ଏବଂ ଗାର୍ଡଙ୍କୁ ନୋଟିସ୍‌ ହୋଇଛି। ଉତ୍ତର ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।